ଭୁବନେଶ୍ୱର : ପୁଣି ଚମକିଛନ୍ତି ଓଡିଆ ଝିଅ ଦୂତି ଚାନ୍ଦ। ଦ୍ୱିତୀୟ ଥର ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି ଦୂତି। ଭାରତକୁ ଦୁଇଟି ପଦକ ଦେବାରେ ପ୍ରଥମ ଓଡିଆ ଆଥଲେଟ୍ ହେଉଛନ୍ତି ଦୂତି।
ଇଣ୍ଡୋନେସିଆର ଜାକର୍ତାରେ ଚାଲୁଥିବା ଅଷ୍ଟାଦଶ ଏସୀୟ କ୍ରୀଡାରେ ପୁଣି ଚମକିଛନ୍ତି ଓଡିଆ ଝିଅ ଦୂତି ଚାନ୍ଦ। ୨୦୦ ମିଟର ମହିଳା ବର୍ଗରେ ସେ ଏହି ପଦକ ହାସଲ କରିଛନ୍ତି। ଭାରତକୁ ଦୁଇଟି ପଦକ ଦେବାରେ ପ୍ରଥମ ଓଡିଆ ଆଥଲେଟ୍ ହେଉଛନ୍ତି ଦୂତି।
ଆଜି ଅନୁଷ୍ଠିତ ମହିଳା ୨ଶହ ମିଟର ବର୍ଗ ଦୌଡ ଫାଇନାଲ ପ୍ରତିଯୋଗୀତାରେ ୨୩.୨ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କରି ଦୂତି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ପୂର୍ବରୁ ୧୦୦ ମିଟର ଦୌଡରେ ଦୂତି ଭାରତକୁ ରୌପ୍ୟ ପଦକ ଦେଇଥିଲେ। ୧୯୯୮ ମସିହାରୁ କ୍ଷୂର୍ଣ୍ଣ ଥିବା ପଦକ ଆଶାକୁ ଦୌଡରାଣୀ ଦୂତି ପୂରଣ କରିଛନ୍ତି। ଏସିଆନ ଗେମ୍ସରେ ଐତିହାସିକ ଦୁଇଟି ରୌପ୍ୟ ପଦକ ଜିତି ଦୂତି ଭାରତକୁ ଅପୂର୍ବ ସଫଳତା ଦେଇଛନ୍ତି।
ଦୂତିଙ୍କ ସଫଳତା ପରେ ବିଶିଷ୍ଟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ରାଜବର୍ଦ୍ଧନ ରାଠୋର ଦୂତିଙ୍କୁ ତାଙ୍କର ଅପୂର୍ବ ସଫଳତାର ଶୁଭେଚ୍ଛା ଜଣାଇଛନ୍ତି।