ସିଂହଦ୍ୱାରରେ ତିନି ରଥ : କାଲି ସୁନାବେଶ

0
397
chariots
chariots
ପୁରୀ  : ସିଂହଦ୍ୱାର ନିକଟରେ ପହଞ୍ଚିଯାଇଛି ତିନି ରଥ । ଜନ୍ମବେଦୀରେ ୯ ଦିନ ପର୍ଯ୍ୟନ୍ତ ରହିବା ପରେ ରତ୍ନବେଦୀକୁ ଫେରିଛନ୍ତି ଶ୍ରୀଜୀଉ । ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ ।

ପୁରୀଠାରେ ଅନୁଷ୍ଠିତ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ୱାର ନିକଟରେ ପହଞ୍ଚିଯାଇଛି ତିନି ରଥ । ଜନ୍ମବେଦୀରେ ୯ ଦିନ ପର୍ଯ୍ୟନ୍ତ ରହିବା ପରେ ରତ୍ନବେଦୀକୁ ଫେରିଛନ୍ତି ଶ୍ରୀଜୀଉ । ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ଚଳିତ ଥର ବାହୁଡା ଯାତ୍ରା ଦେଖିବା ପାଇଁ ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ରବିବାର ଶ୍ରୀଜୀଉ ମାନଙ୍କର ନୀତି ନିର୍ଘଣ୍ଟ ପରେ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା । ମଙ୍ଗଳାର୍ପଣ ପରେ ପ୍ରଥମେ ସୁଦର୍ଶନଙ୍କର ଧାଡି ପହଣ୍ଡି କରାଯାଇଥିବା ବେଳେ ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଧାଡି ପହଣ୍ଡିରେ ଅଣାଯାଇଥିଲା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସେବାୟତ ଓ ଘଣ୍ଟୁଆଙ୍କ ଗହଣରେ ଧାଡି ପହଣ୍ଡିରେ ଆସି ରଥାରୂଢ ହୋଇଥିଲେ । ପହଣ୍ଡି ଶେଷ ହେବା ପରେ ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା ।

ଚାରମାଲ ଫିଟା ଓ ଘୋଡ଼ା ଲାଗି ହୋଇସାରିବା ପରେ ଆଡପମଣ୍ଡପରୁ ରତ୍ନ ମଣ୍ଡପ ଯିବା ପାଇଁ ଅପରାହ୍ନ ୧ଟା ୨୦ରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ଭକ୍ତମାନେ ରଥକୁ ଶ୍ରୀମନ୍ଦିର ଅଭିମୁଖେ ଟାଣି ଟାଣି ନେଇଥିଲେ । କିଛି ବାଟ ଯିବା ପରେ ଅଟକିଥିଲା ତାଳଧ୍ୱଜ ରଥ । ଏହାପରେ ଦେବୀ ସୁଭଦ୍ରା ଓ ବଡଠାକୁର ଜଗନ୍ନାଥଙ୍କ ରଥ ଟଣାଯାଇଥିଲା । ସମଗ୍ର ବଡଦାଣ୍ଡ ହରିବୋଲ, ହୁଳହୁଳି, ଶଙ୍ଖ ଓ ଘଣ୍ଟାଘଣ୍ଟାରେ ଉଛୁଳି ପଡୁଥିଲା । ପ୍ରଥମେ ସମୟର ପୂର୍ବରୁ ଶ୍ରୀମନ୍ଦିର ନିକଟରେ ତାଳଧ୍ୱଜ ରଥ ପହଞ୍ଚିଥିଲା ଏବଂ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ଗହଳ ଲଗାଇ ଆସୁଥିବା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା।

ଉଲ୍ଲେଖନୀୟ ଯେ ନିର୍ଦ୍ଧାରିତ ସମୟ ଠାରୁ ରଥଟଣା ଆରମ୍ଭ ହେବା ଏକ ନୂଆ ଘଟଣା ଥିଲା । ପୂର୍ବରୁ ଅପରାହ୍ନ ୨.୩୦ରେ ରଥଟଣା ଆରମ୍ଭ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା ବେଳେ ୧.୨୦ ରୁ ରଥଟଣା ଆରମ୍ଭ ହୋଇଯାଇଥିଲା। ସେହିପରି ସଂଧ୍ୟା ପୂର୍ବରୁ ୩ ରଥ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଥିଲେ । ଭଲ ପାଗ ଥିବାରୁ ଶ୍ରଦ୍ଧାଳୁ ମାନେ ଚତୁର୍ଦ୍ଧାମୂର୍ତିଙ୍କ ରଥଟଣାକୁ ଦେଖିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ବଡଦାଣ୍ଡ ପର୍ଯ୍ୟନ୍ତ ଜନସମାଗମ ହୋଇଥିଲା। କିଏ ଦଣ୍ଡାୟମାନ ହୋଇ ତ କିଏ କାନ ଧରି ମହାପ୍ରଭୁଙ୍କୁ ପ୍ରଣାମ କରିବା ସହ କ୍ଷମା ମାଗୁଥିବାର ଅପୂର୍ବ ଦୃଶ୍ୟ ବଡଦାଣ୍ଡରେ ଦେଖିବାକୁ ମିଳିଥିଲା।

ସେହିପରି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ସମଗ୍ର ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ବଡଦାଣ୍ଡ ପର୍ଯ୍ୟନ୍ତ ପୋଲିସ୍ ଛାଉଣୀରେ ପରିଣତ ହୋଇଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିଲା ।