ପିଲା ଚୋରି : ସମ୍ପୂର୍ଣ୍ଣ ଗୁଜବ, ଆଇନକୁ ହାତକୁ ନ ନେବାକୁ ପରାମର୍ଶ ଦେଲେ ଡିଜିପି

0
356
dgp r p sharma
dgp r p sharma
ଭୁବନେଶ୍ୱର : ପିଲା ଚୋରି ଆତଙ୍କ  ସମ୍ପୂର୍ଣ୍ଣ ଗୁଜବ ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ।  ସନ୍ଦେହ ହେଲେ ପୋଲିସ ଷ୍ଟେସନକୁ ଖବର ଦେବାକୁ ସେ କହିଛନ୍ତି । କିନ୍ତୁ ଆଇନକୁ ନିଜ ହାତକୁ ନ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ନୟାଗଡ଼ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ୟ୍ୟନ୍ତ ପିଲା ଚୋରି ଆତଙ୍କ ସୃଷ୍ଟି ହୋଇଛି । ଓଡ଼ିଶା ବାହାରୁ କିଛି ଗ୍ୟାଙ୍ଗ ଆସି ପିଲା ଚୋରି କରୁଥିବା ନେଇ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି । ଏହା ସମ୍ପୂର୍ଣ୍ଣ ଗୁଜବ ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ।   ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପିଲା ଚୋର ସନ୍ଦେହରେ ଲୋକମାନଙ୍କୁ ନିସ୍ତୁକ ମାଡ଼ ମରାଯାଉଛି ।

ନୟାଗଡ଼, କନ୍ଧମାଳ, କୋରାପୁଟ, ଗଂଜାମ ଓ ଭୁବନେଶ୍ୱରରେ ପିଲା ଚୋରୀ ଭୟ ସୃଷ୍ଟି ହୋଇଛି । ସାମାନ୍ୟା ସନ୍ଦେହ ସୃଷ୍ଟି ହେଲେ ଲୋକମାନେ କିଛି ନ ବୁଝି ଆଇନକୁ ହାତକୁ ନେଉଛନ୍ତି । ଏସବୁ ଉପରେ ରୋକ ଲଗାଇବାକୁ ପୋଲିସ ଡିଜି ସମସ୍ତ ଜିଲ୍ଲାର ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ଶର୍ମା କହିଛନ୍ତି ଯେ ପିଲା ଚୋରୀ ସଂପୂର୍ଣ୍ଣ ଗୁଜବ ଅଟେ । ରାଜ୍ୟରେ ପିଲା ଚୋର ଭଳି କୌଣସି ସେମିତି ଗ୍ୟାଙ୍ଗ ନାହିଁ । ତେଣୁ ଏଥିରେ ଭୟଭୀତ ହେବାର ନାହିଁ । ଯଦି କୌଣସି ବ୍ୟକ୍ତି ଉପରେ ସନ୍ଦେହ ହେଉଛି ତୁରନ୍ତ ନିକଟସ୍ଥ ପୋଲିସ ଷ୍ଟେସନକୁ ଖବର ଦେବାକୁ ପୋଲିସ ଡିଜି କହିଛନ୍ତି । କିନ୍ତୁ ଆଇନକୁ ନିଜ ହାତକୁ ନ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଯଦି କୌଣସି ଲୋକ ଆଇନକୁ ହାତକୁ ନିଅନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଗଂଜାମର ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଏଭଳି ଦୁଇଟି ଘଟଣା ଘଟି ଯାଇଛି । ବ୍ରହ୍ମପୁରରେ ପିଲା ଚୋର ସନ୍ଦେହରେ ୬ ଜଣ ତାମିଲ ଯୁବକଙ୍କୁ ମାଡ଼ ମରାଯାଇଥିବାବେଳେ ଖଲ୍ଲିକୋଟରେ ଜଣେ ଯୁବକଙ୍କୁ ଲୋକମାନେ ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି ।