ଅନ୍ତର୍ଦେଶୀୟ ଜଳପଥ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି ଯେ ପ୍ରବଳ ପବନ ହିଁ ଡଙ୍ଗା ଦୁର୍ଘଟଣା ହେବାର କାରଣ। ଡଙ୍ଗାରେ ପର୍ଯ୍ୟାପ୍ତ ପରିମାଣର ଲାଇଫ ଜ୍ୟାକେଟ ଥିଲା। ଡଙ୍ଗାରେ ୧୫ ଜଣ ବସିବାକୁ ଜାଗା ଥିଲାବେଳେ ୨୦ଟି ଜ୍ୟାକେଟ ଥିଲା। ତେବେ ଅନ୍ୟ କୌଣସି କାରଣ ନୁହଁ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହିଁ ଡଙ୍ଗା ବୁଡିଥିଲା। ସେହି ସମୟରେ ଜୋରରେ ପବନ ଓ ବର୍ଷା ଆସିବାରୁ ଡଙ୍ଗାଟି ନିୟନ୍ତ୍ରଣ ହରାଇ ବୁଡି ଯାଇଥିଲା ବୋଲି ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ପରିବହନ ସଚିବ ଜି.ଶ୍ରୀନିବାସ ଏହି ରିପୋର୍ଟ ନେଇ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ କି, ଗତ ଶନିବାର ସଂଧ୍ୟାରେ କାଳିଜାଇଙ୍କ ଦର୍ଶନ ପାଇଁ ୧୬ଜଣ ଯାତ୍ରୀଙ୍କୁ ନେଇ ଯାଇଥିବା ଡଙ୍ଗା ଫେରିବା ବେଳେ ମଝି ଚିଲିକାରେ ବୁଡିଯାଇଥିଲା। ଡଙ୍ଗାରେ ଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ୧୦ ଜଣଙ୍କ ଜୀବନ ରକ୍ଷା ପାଇ ଯାଇଥିବାବେଳେ ୬ଜଣଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣାରେ ପଦକ୍ଷେପ ସ୍ୱରୂପ ପରିବହନ ବିଭାଗୀୟ ମନ୍ତ୍ରୀ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ତତ୍ପରତା ପ୍ରକାଶ କରି ଜଳ ପରିବହନ ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ବିଶେଷ କରି କେଉଁ ପରିସ୍ଥିତିରେ ଡଙ୍ଗା ବୁଡିଲା, ଡଙ୍ଗ ଗୁଡିକର ଫିଟନେସ ସାର୍ଟିଫିକେଟ ଅଛି କି ନାହିଁ, ଡଙ୍ଗାର ପଞ୍ଜିକରଣ ହୋଇଛି କି ନାହିଁ, ବାଜି ରାଉତ ଯୋଜାନର ଲାଇଫ ଜ୍ୟାକେଟ ମିଳୁଛି କି ନାହିଁ ସେ ନେଇ ତଦନ୍ତ କରିବା ପାଇଁ କୁହାଯାଇଥିଲା । ମାତ୍ର ଆଜି ସରକାରଙ୍କୁ ବିଭାଗ ରିପୋର୍ଟ ଦେବା ପରେ ପ୍ରବଳ ପବନ ହିଁ ଡଙ୍ଗା ବୁଡିବାର ମୁଖ୍ୟ କାରଣ ବୋଲି ସ୍ପଷ୍ଟ ହୋଇଛି। ତେବେ ଡଙ୍ଗାରେ ଯଦି ଲାଇଫ ଜ୍ୟକେଟ ଥିଲା ଯାତ୍ରୀମାନଙ୍କୁ ବିପଦ ସମୟରେ ଦିଆଯାଇନଥିଲା କାହିଁକି ସେ ନେଇ ଏବେ ସଧାରଣରେ ବଡ ପ୍ରଶ୍ନ ହୋଇଛି ।