ଚୀନ ସୈନିକ ଭାରତୀୟ ସୀମାକୁ ପ୍ରବେଶ ପ୍ରୟାସ : ମାନବ ଶୃଙ୍ଖଳ କରି ଅଟକାଇଲା ଭାରତୀୟ ସେନା

0
353
china-india army face off
china-india army face off
ନୂଆଦିଲ୍ଲୀ  :  ସିକିମର ୨ କିଲୋମିଟର ଭିତରକୁ ପଶିଆସିଛି ଚୀନ ସେନା । ଭାରତୀୟ ସେନା ମାନବ ଶୃଙ୍ଖଳ ତିଆରି କରି ସେମାନଙ୍କ ଗତିରୋଧ କରିଛି । ପରେ ଚୀନ ସେନା ପଛଘୁଂଚା ଦେଇ ନିଜ ସେଣ୍ଟରକୁ ଫେରିଥିବା ଜଣାଯାଇଛି ।

ଡ଼ୋକଲାମ ବିବାଦର ପାଖାପାଖି ବର୍ଷେ ପରେ ପିପୁଲସ ଲିବରେସନ ଆର୍ମିର ଯବାନମାନେ ସିକିମର ପଶ୍ଚିମ ଜିଲ୍ଲା ନାକୁରେ ପ୍ରବେଶ କରିବାର ପ୍ରୟାସ କରିଥିଲେ । ପାଖାପାଖି ୫୦ଜଣ ଚୀନା ସୈନିକ ଭାରତୀୟ ସୀମାକୁ ଟପି ନାକୁରେ ଅନୁପ୍ରବେଶ କରିଥିଲେ । ୪ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ନାକୁରେ ଦେଖିବାକୁ ମିଳିଥିଲା । ସେମାନେ ଏକ ନିର୍ଦ୍ଦିଷ୍ଟ ଯାଗାରେ ଠିଆ ହେବା ସହ ଫେରିଯିବାକୁ ମନା କରିଥିଲେ ।

ଏହା ପରେ ଭାରତୀୟ ସୈନିକମାନେ ଏକ ବ୍ୟାନର ନେଇ ସେମାନଙ୍କୁ ଫେରିଯିବାକୁ ଅନୁରୋଧ କରିଥିଲେ । ଉଭୟ ପକ୍ଷରୁ ଗୁଳିଗୋଳା ବର୍ଷଣ ହୋଇନଥିଲା । ଉଭୟ ଚୀନ ଏବଂ ଭାରତୀୟ ସୈନିକ ମୁହାଁମୁହିଁ ହୋଇ ପରସ୍ପରକୁ ଘୁଂଚିଯିବାକୁ ପ୍ରବର୍ତ୍ତନା କରୁଥିଲେ । ଶେଷରେ ଚୀନ ସୈନିକମାନେ ପଛକୁ ଫେରିଥିଲେ । ୧୦୦ ଭାରତୀୟ ସେନା ମାନବ ଶୃଙ୍ଖଳ ତିଆରି କରି ସେମାନଙ୍କ ସାମ୍ନାରେ ଠିଆ ହୋଇଯାଇଥିଲେ ।

୩,୪୮୮ କିମି ପରିବ୍ୟାପ୍ତ ଲମ୍ବା ସୀମାରେ ଏଭଳି ଅନେକ ଥର ସମାନ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି । ଅରୁଣାଚଳ ପ୍ରଦେଶ, ସିକିମ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମିରର ସୀମାରେ ଚୀନ ଓ ଭାରତ ମଧ୍ୟରେ ବିବାଦ ରହିଛି ।