ପଦ ସମ୍ଭାଳିବା ମାତ୍ରେ ଆକ୍ସନମୋଡରେ ସିଜେଆଇ ରଞ୍ଜନ ଗୋଗଇ

0
400
cji ranjan gogoi
cji ranjan gogoi
ନୂଆଦିଲ୍ଲୀ : ନୂତନ ମୁଖ୍ୟ ବିଚାରପତି ପଦ ସମ୍ଭାଳିବା ମାତ୍ରେ ଆକ୍ସନମୋଡରେ ସିଜେଆଇ ରଞ୍ଜନ ଗୋଗଇ।  କାର୍ଯ୍ୟକାଳର ପ୍ରଥମ ଦିନରେ ସେ ନିର୍ବାଚନରେ ସୁଧାର ସମ୍ବନ୍ଧିତ ଯାଚିକାକୁ ଖାରଜ କରିବା ସହିତ ଓକିଲଙ୍କୁ ଦାଗିଦ୍ ମଧ୍ୟ କରିଛନ୍ତି।

ଦେଶର ନୂତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତୀ ରଞ୍ଜନ ଗୋଗଇ ବୁଧବାର ନିଜର କାର୍ଯ୍ୟଭାର ସମ୍ଭାଳିଛନ୍ତି। ଦାୟିତ୍ଵ ସମ୍ଭାଳିବା ମାତ୍ରେ ସିଜେଆଇଙ୍କୁ ଆକ୍ସନମୋଡରେ ଦେଖିବାକୁ ମିଳିଛି।  ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟର ନୂତନ ରୋଷ୍ଟର ଜାରି କରିଛନ୍ତି। ଏହି ରୋଷ୍ଟର ଆଜିଠୁ ଲାଗୁ ହୋଇଛି।

ନୂତନ ରୋଷ୍ଟର ମୁତାବକ  ଜନସ୍ଵାର୍ଥ ଯାଚିକା ସମ୍ବନ୍ଧିତ ସମସ୍ତ ମାମଲାର ଶୁଣାଣି ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇ ନିଜେ କରିବେ। ଏହି ନୂତନ ରୋଷ୍ଟର  ମୋକଦ୍ଦମା ଶ୍ରେଣୀ ଅନୁସାରେ ପ୍ରସ୍ତୁତ କରାଯାଇଛି। ରୋଷ୍ଟର ଅନୁସାରେ ମୁଖ୍ୟ ବିଚାରପତି ଜନହିତକର ଯାଚିକା, ନିର୍ବାଚନ ସମ୍ବନ୍ଧି ଯାଚିକା, କୋର୍ଟର ଅବମାନନା ସମ୍ବନ୍ଧିତ ଯାଚିକା, ସାମାଜିକ ନ୍ୟାୟ, ଅପରାଧିକ ମାମଲା ଓ ସାମ୍ବିଧାନିକ ପଦରେ ନିଯୁକ୍ତି ସମ୍ବନ୍ଧିତ ଯାଚିକାର ଶୁଣାଣି କରିବେ।  ଯଦି ଏହି ସବୁ ମାମଲା ଅନ୍ୟ କୌଣସି ଖଣ୍ଡପୀଠକୁ ସ୍ଥାନାନ୍ତର କରାଯିବାର ଥିବ ତେବେ ଏହାର ନିଷ୍ପତ୍ତି ମୁଖ୍ୟ ବିଚାରପତି ଖୋଦ୍ ନେବେ।

ନୂତନ ରୋଷ୍ଟର ଅନୁସାରେ ଦ୍ଵିତୀୟ ନମ୍ବରର ଜଜ ମଦନ ବି ଲୋକୁରଙ୍କୁ ପିଆଇଏଲ, ଜଙ୍ଗଲ ସଂରକ୍ଷଣ, ଭୂମି, ଜଳ, ବୃକ୍ଷ, ପାରାମିଲିଟାରୀ ଫୋର୍ସ, ସେନା, ଖନନ ପରି ମାମଲା ଦିଆଯାଇଛି।

ସୁପ୍ରିମକୋର୍ଟରେ ବରିଷ୍ଠତା ଆଧାରରେ ତୃତୀୟ ନମ୍ବରର ଜଜ ଜଷ୍ଟିସ କୁରିୟତ ଯୋଶେଫଙ୍କୁ ଅବମାନନା, ଧାର୍ମିକ, ପର୍ସନଲ ଲ, ବ୍ୟାଙ୍କିଙ୍ଗ, ସରକାରୀ ଠେକା, ଅପରାଧିକ, ଶ୍ରମ, ଟ୍ୟାକ୍ସ, ଭଡ଼ା, ଭୂମି ଅଧିଗ୍ରହଣ, ସିଭିଲ, ନ୍ୟାୟିକ ଅଧିକାର, ଭୂମି ଅଧିନିୟମ ସହ ସମ୍ବନ୍ଧିତ ମାମଲା ଦିଆଯାଇଛି।

ଅପର ପକ୍ଷେ ଜଷ୍ଟିସନ ଅର୍ଜନ ସିକରୀଙ୍କୁ ପରୋକ୍ଷ-ପ୍ରତ୍ୟକ୍ଷ କର, ନିର୍ବାଚନ ଓ ଅପରାଧିକ ମାମଲାର ଶୁଣାଣି କରିବାକୁ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଗତ କିଛି ମାସ ତଳେ ସୁପ୍ରିମକୋର୍ଟରେ ରୋଷ୍ଟର ପ୍ରସଙ୍ଗ ବହୁତ ଚର୍ଚ୍ଚାରେ ରହିଥିଲା। ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ସମୟରେ ଚାରି  ଜଣ ଜଜ, ଯେଉଁଥିରେ ଜଷ୍ଟିସ ରଞ୍ଜନ ଗୋଗଇ ମଧ୍ୟ  ଥିଲେ, ସେମାନେ ରୋଷ୍ଟର ଉପରେ ପ୍ରଶ୍ନ ଉଠାଇଥିଲେ। ଏହି  ଚାରି ଜଣ ଜଜ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ।