ଦୌଡରାଣୀ ଦୂତି ଚାନ୍ଦ ଦୁଇଟି ରୌପ୍ୟ ପଦକ ନେଇ ଶୁକ୍ରବାର ଓଡ଼ିଶା ମାଟିକୁ ଫେରିଛନ୍ତି। ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସେ ରାଜ୍ୟ ସଚ୍ଚିବାଳୟ ଗସ୍ତ କରିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତିଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୂର୍ବ ଘୋଷିତ ୩ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।
ଆଜି ଆନ୍ତର୍ଜାତୀୟ ବିଜୁ ପଟ୍ଟନାକ ବିମାନ ବନ୍ଦରରେ ପହଞ୍ଚିବା ପରେ ଦୂତିଙ୍କୁ ତାଙ୍କ ଫ୍ୟାନ ଓ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ଦୂତି ତାଙ୍କ ସଫଳତା ନେଇ କହିଥିଲେ ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ଆଜି ମୁଁ ଭାରତ ତଥା ଓଡ଼ିଶାକୁ ଦୁଇ ଦୁଇଟି ରୌପ୍ୟ ପଦକ ଦେଇପାରିଛି। ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ରାଶି ପାଇଁ ମଧ୍ୟ ଦୂତୀ ଧନ୍ୟବାଦ ଜ୍ଞାପନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋ ପାଇଁ ଲକି ଏବଂ ଭବିଷ୍ୟତରେ ମେଡାଲ ନେଇ ଦେଶକୁ ଗର୍ବିତ କରିବି ବୋଲି ଏହି ଅବସରରେ ଦୂତି କହିଥିଲେ।
ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଆୟୋଜନ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ଇତିହାସ ରଚିଥିବା ଯାଜପୁର ଝିଅ ଦୂତି ଚାନ୍ଦ ୨ଟି ରୌପ୍ୟ ପଦକ ଜିତିଛନ୍ତି । ଦୂତି ଚାନ୍ଦ ରକ୍ଷାବନ୍ଧନ ଅବସରରେ ଏସୀୟ କ୍ରୀଡ଼ାର ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ତାଙ୍କର ପ୍ରଥମ ପଦକ ଜିତିଥିବା ବେଳେ ମେଜର ଧ୍ୟାନ ଚାନ୍ଦଙ୍କ ୧୧୩ତମ ଜୟନ୍ତୀ ତଥା ଜାତୀୟ କ୍ରୀଡ଼ା ଦିବସରେ ୨ୟ ରୌପ୍ୟ ପଦକ ଜିତିଛନ୍ତି । ଦୂତି ତାଙ୍କର ୨ୟ ରୌପ୍ୟ ପଦକ ୨୦୦ ମିଟରରେ ଜିତିଛନ୍ତି ।
ଆଥଲେଟିକ୍ସରେ ଭାରତକୁ ୨ଟି ପଦକ ଦେବାରେ ଦୂତି ଚାନ୍ଦ ହେଉଛନ୍ତି ପ୍ରଥମ ଓଡ଼ିଆ । ଅଗଷ୍ଟ ୨୯ରେ ଅନୁଷ୍ଠିତ ମହିଳା ୨୦୦ ମିଟର ପ୍ରତିଯୋଗିତାରେ ଦୂତି ୨୩.୨ ସେକେଣ୍ଡରେ ଲକ୍ଷ୍ୟ ପୂରା କରିଥିଲେ । ପୂର୍ବରୁ ସେ ୧୦୦ ମିଟରରେ ରୌପ୍ୟ ପଦକ ଜିଣି ଥିଲେ । ବର୍ଷ ୧୯୯୮ରୁ କ୍ଷୁର୍ଣ୍ଣ ଥିବା ପଦକ ଆଶାକୁ ଦୌଡ଼ରାଣୀ ଦୂତି ପୂରଣ କରିଥିଲେ ।