ସମର୍ପଣ ସହିତ କାମ କରିବାକୁ ଓଡିଶା ସିଭିଲ ସର୍ଭିସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

0
242
cm naveen patnaik
cm naveen patnaik
ଭୁବନେଶ୍ୱର : ଅତ୍ୟନ୍ତ ସମର୍ପଣ ଓ ଦୃଢତାର ସହିତ କାମ କରି ସାଧାରଣ ଲୋକ ମାନଙ୍କର ସମସ୍ୟାର ସମାଧାନ କରିବା ସହ ତାଙ୍କର ବିଶ୍ୱାସଭାଜନ ହେବାକୁ  ଓଡିଶା ସିଭିଲ ସର୍ଭିସ  ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

 ମୁଖ୍ୟମନ୍ତ୍ରୀ ଶ୍ରୀ  ପଟ୍ଟନାୟକ ଶନିବାର ଦିନ ଜୟଦେବ ଭବନ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୪୫ ଜଣ ଓଡିଶା ସିଭିଲ ସର୍ଭିସ ଅଫିସରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ନୂଆ କରି ନିଯୁକ୍ତ ହୋଇଥିବା ଏହି ସିଭିଲ ସର୍ଭିସ ଅଧିକାରୀ ମାନଙ୍କର ଓରିଏଂଟେସନ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ଶ୍ରୀ ପଟ୍ଟନାୟକ ଏହି ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ପ୍ରଶାସନର ମୁଖ୍ୟଧାରାକୁ ଆସିଥିବା କାରଣରୁ ସ୍ୱାଗତ ଜଣାଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଜନ ସାଧାରଣଙ୍କୁ ସାର୍ବଜନିକ ସେବା ଯୋଗାଇ ଦେବା ପାଇଁ ସେ ସର୍ବାଧିକ ଗୁରୁତ୍ୱ ଦେଇ ଆସିଛନ୍ତି । ଏଥି ନିମିତ ହୋଇଥିବା ପ୍ରୟାସ କାରଣରୁ ରାଜ୍ୟରେ ଏକ ସ୍ଥାୟୀ ଓ ଉତରଦାୟୀ ପ୍ରଶାସନିକ ବ୍ୟବସ୍ଥା ତିଆରି ହୋଇ ପାରିଛି । ଏହାକୁ ଆପଣ ମାନେ ଆଗାମୀ ଦିନରେ ଆଗକୁ ବଢାଇବେ ବୋଲି ଶ୍ରୀ ପଟ୍ଟନାୟକ ଏହି ଅଧିକାରୀ ମାନଙ୍କୁ କହିଛନ୍ତି ।

ଏକ ସ୍ୱଚ୍ଛ, ପ୍ରଭାବୀ ପ୍ରଶାସନ ଦ୍ୱାରା ସାଧାରଣ ଲୋକ ମାନଙ୍କର ଜୀବନ ମାନରେ ସୁଧାର ଆଣିବା ଉପରେ ରାଜ୍ୟ ପ୍ରଶାସନର ଧ୍ୟାନ ଦେଉଛନ୍ତି । ଟିମ ଭାବନାକୁ ପ୍ରୋତ୍ସାହନ ଦେଇ, ସ୍ୱଚ୍ଛତା ମାଧ୍ୟମରେ ନୂତନ ଟେକ୍ନୋଲଜୀର ବ୍ୟବହାର କରି ଲୋକ ମାନଙ୍କୁ ସେବା ଯୋଗାଇ ଦେବା ତାଙ୍କ ସରକାରଙ୍କର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ ।

ଏହି କାରଣରୁ ନୂତନ କରି ଯୋଗ ଦେଉଥିବା ଏହି ଅଧିକାରୀ ମାନଙ୍କୁ ଅତ୍ୟନ୍ତ ସମର୍ପଣ ଓ ଦୃଢତାର ସହିତ କାମ କରି ସାଧାରଣ ଲୋକ ମାନଙ୍କର ସମସ୍ୟାର ସମାଧାନ କରିବା ସହ ତାଙ୍କର ବିଶ୍ୱାସଭାଜନ ହେବାକୁ ଶ୍ରୀ ପଟ୍ଟନାୟକ ଅଧିକାରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି, ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।