ସମ୍ଭାବ୍ୟ ବର୍ଷାର ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0
392
cm naveen patnaik
cm naveen patnaik
ଭୁବନେଶ୍ୱର : ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାର ମୁକାବିଲା ପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ଓ ଆସନ୍ତାକାଲି ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେଣୁ ଏହାର ମୁକାବିଲା ପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ପାଳନ ସ୍ଥଳରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ପରେଡରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ରାଜ୍ୟର ସବୁ ବଡ ବଡ ନଦୀର ଜଳ ପତନ ବର୍ତମାନ ବିପଦ ସଂକେତ ତଳେ ରହିଛି ବୋଲି ବୈଠକରେ ସୂଚନା ଦିଆଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭବିକ ଠାରୁ ପାଂଚ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଦେବଗଡ, ବଲାଙ୍ଗୀର ଓ ସୁନ୍ଦରଗଡ ଜିଲ୍ଲାରେ ଅପେକ୍ଷାକୃତ କମ ବର୍ଷା ହୋଇଛି ।

ସମୀକ୍ଷା ପରେ ଏସ୍‌ଆରସି କହିଛନ୍ତି ଯେ ସମ୍ଭାବ୍ୟ ବନ୍ୟା ଦୃଷ୍ଟିରୁ ଓଡ୍ରାଫ ଓ ଏନ୍‌ଡିଆରଏଫ୍‌ ଟିମ୍‌କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାକୁ ଦେଖି ସରକାରୀ ଛୁଟି ହେବ ନା ନାହିଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହା ନିର୍ଦେଶକ, ଉନ୍ନୟନ କମିଶନର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର, ବରିଷ୍ଠ ପୋଲିସ ଅଧିକାରୀ ଓ ପାଣିପାଗ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।