‘ସମବାୟ ଆପଣଙ୍କ ଦ୍ୱାରରେ’ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0
458
cm naveen patnaik
cm naveen patnaik
ଭୁବନେଶ୍ୱର :  ଚାଷୀ ମାନଙ୍କ ପାଇଁ ‘ସମବାୟ ଆପଣଙ୍କ ଦ୍ୱାରରେ’ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀ ମାନଙ୍କ ପାଖରେ ଋଣ ସୁବିଧା ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମବାୟ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ବା ଏକ ନୂଆ ଯୋଜନା ‘ସମବାୟ ଆପଣଙ୍କ ଦ୍ୱାରରେ’ ଶୁଭାରମ୍ଭ କରିଛନ୍ତି । ସମସ୍ତେ ସମବାୟ କାର୍ଯ୍ୟକ୍ରମ ବିଷୟରେ ସଚେତନ ହେବା ଏବଂ ଚାଷୀ ମାନଙ୍କ ପାଖରେ ଋଣ ସୁବିଧା ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷି ଋଣର ଶତକଡ଼ା ୬୫ ପ୍ରତିଶତ ସମବାୟ ସଂସ୍ଥା ମାନଙ୍କ ଜରିଆରେ ପ୍ରଦାନ କରାଯାଉଛି । ରାଜ୍ୟ ସରକାର ଚାଷୀ ମାନଙ୍କୁ ଏକ ପ୍ରତିଶତ ସୁଧରେ ଋଣ ଯୋଗାଇ ଦେଉଛନ୍ତି । ଚାଷୀ ମାନଙ୍କୁ କୃଷି ମିଆଦି ଋଣ ଦେବା ପାଇଁ ବିଭିନ୍ନ ସର୍ତକୁ କୋହଳ ମଧ୍ୟ କରାଯାଇଛି । ଚଳିତ ବର୍ଷ ୧୦୦୦ କୋଟି ଟଙ୍କାର ମିଆଦି ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ । ଏହି ଅବସରରେ, ଋଣ ନେଇ ନଥିବା ଚାଷୀମାନେ ଯେପରି ଅଧିକରୁ ଅଧିକ ସଂଖ୍ୟାରେ ଫସଲ ବୀମାର ସୁବିଧା ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବାପାଇଁ ମୁଖ୍ୟମନ୍ତ୍ରୀ ସମବାୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ନାବାର୍ଡ଼ ଓ ରାଜ୍ୟ ସମବାୟ ବ୍ୟାଙ୍କ ମଧ୍ୟରେ ଯୁଗ୍ମ ଦେୟ ଗୋଷ୍ଠୀ ଗଠନ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଛୋଟ ଛୋଟ ଚାଷୀଙ୍କୁ ଋଣ ସୁବିଧା ଯୋଗାଇ ଦେବାରେଏହା ସହାୟକ ହେବ । ପ୍ରତି ପ୍ରାଥମିକ କୃଷି ସମବାୟ ସମିତିରେ ଅତି କମରେ ୧୦ଟି ଜଏଂଟ ଲାୟବିଲିଟି ଗ୍ରୁପ୍ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀ ମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ସେମାନଙ୍କ ପାଇଁ ରୁପେ କିଶାନ କାର୍ଡ଼, ଆଧୁନିକ ଗୋଦାମ, ଖଳା ଆଦି ବିଭିନନ ସୁବିଧା କରାଯିବା ସହିତ ଚାଷୀ ଯେପରି ତାର ଫସଲର ଉପଯୁକ୍ତ ମୂଲ୍ୟ ପାଇପାରିବ, ସେଥିପାଇଁ ମଣ୍ଡି ଗୁଡ଼ିକରେ ଇ-ନିଲାମର ବ୍ୟବସ୍ଥା ମଧ୍ୟ କରାଯାଇଛି । ଚାଷୀମାନଙ୍କ ପାଇଁ କରାଯାଉଥିବା ଏହିସବୁ ସୁବିଧା ସେମାନଙ୍କ ପାଖରେ ଠିକ୍ ସମୟରେ ପହଂଚିବ, ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ସମବାୟ ବିଭାଗ ଓ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମବାୟ ବିଭାଗ ଦ୍ୱାରା ପ୍ରସ୍ତୁତ ଭିଜନ ଡକୁମେଂଟର ଉନ୍ମୋଚନ କରିଥିଲେ । ସମବାୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବାଲେଶ୍ୱର ଜିଲ୍ଲାର ପୁରୁଷୋତମପୁର କୃଷି ସମବାୟ ସମିତି, ଢ଼େଙ୍କାନାଳ ଜିଲ୍ଲାର କଲମଛୁଇଁ କୃଷି ସମବାୟ ସମିତି ଓ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବୃହତାକାର ଆଦିବାସୀ ବହୁମୁଖୀ ସମବାୟ ସମିତିକୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସମବାୟର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେଏକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।