ପାଟନା: ବିହାରରେ ମଦ ନିଷିଦ୍ଧ ପରେ ହ୍ରାସ ପାଇଛି ଅପରାଧ। ଲୋକମାନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେଉଛନ୍ତି। ଅଧ୍ୟୟନରୁ ଜଣାପଡ଼ିଛି ଯେ ୧୯ ପ୍ରତିଶତ ପରିବାର ନୂଆ ସମ୍ପତ୍ତି କିଣିଛନ୍ତି।
ଏସିଆ ବିକାଶ ଅନୁସନ୍ଧାନ ପ୍ରତିଷ୍ଠାନ(ଏଡିଆରଆଇ) ଓ ସରକାରୀ ଅର୍ଥନୈତିକ ସଂସ୍ଥାା ‘ଜ୍ଞାନ ପ୍ରତିଷ୍ଠାନ ବିକାଶ ପରିଚାଳନା ସଂସ୍ଥା’ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ୧୯ ପ୍ରତିଶତ ପରିବାର ନୂଆ ସମ୍ପତ୍ତି କିଣିଛନ୍ତି, ଯେଉଁମାନେ ପୂର୍ବରୁ ମଦ ପିଇବାରେ ଖର୍ଚ୍ଚ କରୁଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଉଭୟ ଅଧ୍ୟୟନ ସଂସ୍ଥା ମଦ ନିଷିଦ୍ଧର ଫଳ ମୂଲ୍ୟାଙ୍କନ କରିଥିଲେ। ବିହାରରେ ୨୦୧୬ ଏପ୍ରିଲରେ ମଦ ନିଷିଦ୍ଧ ଲାଗୁ କରାଯାଇଥିଲା।
ବିହାରରେ ମଦ ନିଷିଦ୍ଧ ହେବା ପରେ ବର୍ଷର ପ୍ରଥମ ୬ ମାସ ଭିତରେ ଦାମୀ ଶାଢ଼ୀ ଓ ଅନ୍ୟ ଜିନିଷ ବିକ୍ରି ବଢ଼ିଛି। ଏକ ନୂଅାଁ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଶାଢ଼ୀ ବିକ୍ରି ୧୭୫୧ ପ୍ରତିଶତ ବିକ୍ରି ହୋଇଥିବା ବେଳେ ଲୋକେ ସ୍ୱାସ୍ଥ୍ୟ ପାଇଁ ୩୮୦ ପ୍ରତିଶତ ଟଙ୍କା ଖର୍ଚ୍ଚ କରିଛନ୍ତି। ବହାରର ଲୋକମାନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେଉଛନ୍ତି। ସେହିଭଳି ଅନ୍ୟ ଜିନିଷ ୨୦୦ ପ୍ରତିଶତ ବିକ୍ରି ବଢ଼ିଛି।
ଅପରାଧ ମାମଲାରେ ରିପୋର୍ଟରେ କୁହାଯାଇଛି ଯେ, ଅପହରଣ ୬୬.୬ ପ୍ରତିଶତ କମିଥିବା ବେଳେ ହତ୍ୟା ମାମଲା ୨୮.୩ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ଡକାୟତି ୨.୩ ପ୍ରତଶତ କମିଛି।
ଅଧ୍ୟୟନକୁ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ସହିତ ଏବର୍ଷ ବିଧାନସଭାରେ ଉପସ୍ଥାପନା କରାଯାଇଥିଲା। ‘ଏଡିଆରଆଇ’ ବିହାର ଷ୍ଟେଟ ମିଲ୍କ କୋ-ଅପରେଟିଭ ଫେଡେରେସନ(କମ୍ଫ୍ରେଡ୍)ର ଦୋକାନରେ କିଣା-ବିକା ଅଧ୍ୟୟନ କରିଥିଲା। କମ୍ଫ୍ରେଡକୁ ସୁଧା ନାମରେ ଜଣା ଯାଇଥାଏ। ଏଥିରେ ମିଳିଛି ଯେ, ମହୁ ବିକ୍ରି ୩୮୦ ପ୍ରତିଶତ ବଢ଼ିଛି।
ରିପୋର୍ଟରେ କୁହାଯାଇଛି ଯେ, କ୍ଷୀର ବିକ୍ରି ୪୦ ପ୍ରତିଶତ, ଫ୍ଲେବର୍ଡ ମିଲ୍କ ୨୮.୪ ପ୍ରତିଶତ ଓ ଲସି ବିକ୍ରି ୧୯.୭ ପ୍ରତିଶତ ବଢ଼ିଛି। ଏଡିଆରଆଇ ରିପୋର୍ଟରେ କୁହାଯାଇଛି ଯେ, ଅନ୍ୟ ଖାଦ୍ୟ ପଦାର୍ଥର ବିକ୍ରି ମଧ୍ୟ ବଢ଼ିଛି। ଦାମୀ ଶାଢ଼ୀ ୧୭୫୧ ପ୍ରତିଶତ, ଦାମୀ କପଡ଼ା ୯୧୦ ପ୍ରତିଶତ, ଖାଦ୍ୟ ପଦାର୍ଥ ୪୬ ପ୍ରତିଶତ, ଫର୍ଣ୍ଣିଚର ୨୦ ପ୍ରତିଶତ ବିକ୍ରି ବଢ଼ିଛି। ଖେଳ ସାମଗ୍ରୀ ୧୮ ପ୍ରତିଶତ ଅଧିକ ବିକ୍ରି ହୋଇଛି।