ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେତୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଖରା ଛୁଟି ଅବଧିକୁ ୨୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ମାତ୍ର ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିଲା। ଫଳରେ ୪୨ ଡିଗ୍ରୀ ତାପମାତ୍ରାରେ ସ୍କୁଲର ପିଲାମାନେ ଯା’ ଆସ କରିଥିଲେ । ଯାହାକୁ ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ସ୍କୁଲକୁ ପିଲାଙ୍କୁ ଛାଡିବାକୁ ବାଧ୍ୟ ହେଉଥିଲେ। ତେବେ ଏ ନେଇ ଅଭିଯୋଗ ହେବା ପରେ ଆଜି ସରକାର ତତ୍ପରତା ପ୍ରକାଶ କରିଛନ୍ତି।
ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସଂପୃକ୍ତ କେନ୍ଦ୍ରୀୟ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ ହୋଇଛି। ସରକାର ସବୁ ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିଲେ ମଧ୍ୟ କାହିଁକି ପୂର୍ବରୁ ସ୍କୁଲ ଖୋଲାଯାଇଥିଲା, କଣ ପାଇଁ ଖୋଲାଯାଇଥିଲା, ଏ ସଂପର୍କରେ କାହିଁକି ବିଭାଗକୁ ଜଣାଯାଇନଥିଲା । ସେ ନେଇ ନୋଟିସରେ ସବୁ କାରଣ ଦର୍ଶାଇବାକୁ କୁହାଯାଇଛି। ଏହାର ଉତ୍ତର ୩ ଦିନ ମଧ୍ୟରେ ଦେବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।