ସୋମବାର ଦିନ ସଚିବାଳୟ ଠାରେ ସମ୍ବଲପୁରସ୍ଥିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ୧୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଏହି ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ଦାବିକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ନିକଟରେ ଦାବି ଉପସ୍ଥାପନା ପାଇଁ ସରକାର ଓ ସାଂସଦମାନେ ପ୍ରୟାସ କରିବା ଜରୁରୀ ବୋଲି କମିଟିର ଆବାହକ ଅଶୋକ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସୂଚନା ଦେଇଛନ୍ତି।
ଏହି ଆଲୋଚନାରେ ସ୍ଥାନୀୟ ବିଧାୟିକା ଡ. ରାସେଶ୍ୱରୀ ପାଣିଗ୍ରାହୀ, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଉପସ୍ଥିତ ଥିଲେ। ବୈଠକ ପରେ କମିଟିର ଆବାହକ ଶ୍ରୀ ଦାସ କହିଥିଲେ ଯେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ଆଲୋଚନା ହୋଇଥିଲା । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ରକୁ ଆଉ ଏକ ଚିଠି ଲେଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ଏହି ଅନୁରୋଧକୁ ରକ୍ଷା କରି ଆଇନ୍ ମନ୍ତ୍ରଣାଳୟକୁ ଏକ ଶକ୍ତ ଚିଠି ଲେଖାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା ନେଇ ସେ ସୂଚନା ଦେଇଥିଲେ।
ସେହିପରି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତରରେ କେନ୍ଦ୍ର ଆଇନ ମନ୍ତ୍ରୀ ରାଜ୍ୟସଭାରେ ଦେଇଥିବା ଉତ୍ତରରେ ଶ୍ରୀ ଦାସ କହିଥିଲେ ଯେ ରାଜ୍ୟ ସରକାର ଏସମ୍ପର୍କରେ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଚିଠି ମଧ୍ୟ ଲେଖିଛନ୍ତି । ମାତ୍ର ସେଥିରେ ରାଜ୍ୟପାଳ ବା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅନୁମୋଦନ ନାହିଁ । ଯେତେବେଳେ ଏନେଇ ଚିଠି ଦିଆଯାଇଥିଲା ସେତେବେଳେ କେନ୍ଦ୍ର ପକ୍ଷରୁ ବିରୋଧ କରାଯାଇପାରିଥାନ୍ତା ।
ସେତେବେଳେ କଲେ ନାହିଁ କାହିଁକି, ତାଙ୍କୁ କିଏ ମନା କରିଥିଲା? ମୁଖ୍ୟମନ୍ତ୍ରୀ ଯେଉଁ ଚିଠି ଲେଖିଥିଲେ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ରାଜ୍ୟର ଏକ ପ୍ରତିନିଧି ଦଳ କେନ୍ଦ୍ର ଆଇନ୍ ମନ୍ତ୍ରୀଙ୍କ ଆଲୋଚନା କରନ୍ତୁ ବୋଲି ପୂର୍ବରୁ କମିଟି ପ୍ରସ୍ତାବ ଦେଇଥିଲା । ସୂଚନାଯୋଗ୍ୟ ଯେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ସୁପାରିଶ କରିବାପାଇଁ ଗଠିତ ହୋଇଥିବା କମିଶନ୍ ତାଙ୍କ ରିପୋର୍ଟରେ ଏହାର ଆବଶ୍ୟକତା ରହିଛି ବୋଲି ଦର୍ଶାଇଥିଲେ ।