ରାକ୍ଷସ ବାପା : କୂଅରେ ଫିଙ୍ଗିଲା ୧୩ ଦିନର ଝିଅ

0
374
accused of murder of own 13 days daughter
accused of murder of own 13 days daughter

ପାଲଲହଡ଼ା :  ନିଜ ଝିଅକୁ କୂଅରେ ଫିଙ୍ଗି ଦେଲା ରାକ୍ଷସ ବାପା । ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ଛାଞ୍ଚୁଣିଆ ଗାଁରେ ଘଟିଛି ଏହି ଘଟଣା। ଝିଅକୁ କୂଅରେ ଫିଙ୍ଗି ମାରିଥିବା ଅଭିଯୋଗରେ ପୋଲିସ୍ ତାକୁ ଗିରଫ କରିଛି।

ଦୁଃଶାସନ ସାହୁ ସ୍ତ୍ରୀ ଓ ପରିବାର ଲୋକଙ୍କ ଆଗରେ ନ ଜାଣିବାର ଅଭିନୟ କଲା। ଏପରିକି ଅନ୍ୟମାନଙ୍କ ସହିତ ମିଶି ଆମ୍ୱ ବଗିଚା ଓ ବାଇଗଣ ବାଡ଼ିରେ ଝିଅକୁ ଖୋଜିଲା। କିନ୍ତୁ ଶେଷରେ ତା’ ମିଛ ଧରା ପଡ଼ିଗଲା।  ଛାଞ୍ଚୁଣିଆ ଗାଁର ଦୁଃଶାସନ ସାହୁ ୨୦୧୪ ମସିହାରେ ମିତା ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।

ବିବାହ ପରେ ସେମାନଙ୍କ ସଂସାର ହସ ଖୁସିରେ ଚାଲିଥିଲା। ଝିଅ ଜନ୍ମ ହେବା ପରେ ମିତାଙ୍କ ଉପରେ ପଡ଼ିଲା ଚଡ଼କ। ଆରମ୍ଭ ହେଲା ନିର୍ଯାତନା। ସବୁବେଳେ ମିତାଙ୍କୁ ମାଡ଼ ମାରୁଥିଲେ ଦୁଃଶାସନ। ସତେ ଯେମିତି ଝିଅ ଜନ୍ମ କରି ମିତା ଭୁଲ୍‌ କରିଛନ୍ତି। ନିରୂପାୟ ମିତା ସ୍ୱାମୀର ସବୁ ମାଡ଼ଗାଳିକୁ ସହି ଯାଉଥିଲେ।  ଦ୍ୱିତୀୟ ସନ୍ତାନ  ଝିଅ ହେଲା ପରେ ତାଙ୍କର କ୍ରୋଧର ସୀମା ରହିଲା ନାହିଁ। ଝିଅକୁ ମାରି ଦେବା ପାଇଁ ସେ ଷଡ଼ଯନ୍ତ୍ର ରଚିଲେ। ସେଥିପାଇଁ ଗତ ୫ ତାରିଖ ରାତିରେ ଶୋଇ ପାରି ନ ଥିଲା।

ରାତି ସାରା ଚେଇଁ ରହି ଝିଅକୁ ମାରିବା ପାଇଁ ଯୋଜନା କରିଥିଲେ। ତହିଁ ପର ଦିନ ଅର୍ଥାତ୍ ୬ ତାରିଖ ସକାଳେ ମିତା ୧୩ ଦିନର ଶିଶୁ କନ୍ୟାକୁ ତେଲ ଲଗାଇ ବିଛଣାରେ ଶୁଆଇ ଦେଇଥିଲେ। ଦୁଃଶାସନ ମଧ୍ୟ ସେଠାରେ ଥିଲେ।  ଝିଅ ଶୋଇଗଲା ପରେ ମିତା ପୋଖରୀକୁ ଗାଧୋଇବାକୁ ଚାଲି ଗଲେ।  ଏହାର ସୁଯୋଗ ନେଇ ଦୁଃଶାସନ କୁନି ଝିଅକୁ ଜୀବନ୍ତ ଅବସ୍ଥାରେ ଘର ପଛ ପଟ କୂଅରେ ଫିଙ୍ଗି ଦେଇଥିଲେ।

ଖମାର ଥାନା ପୋଲିସ୍ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ଗାଁରେ ପହଞ୍ଚି ଖୋଜାଖୋଜି କରିଥିଲା।  କିଛି ସମୟରେ କୁନି ଝିଅର ମୃତଦେହ ଘର ପଛ ପଟ କୂଅରୁ ମିଳିଥିଲା। ଛୁଆ ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ଦୁଃଶାସନ ଉପରେ ପୋଲିସ ସନ୍ଦେହ ଘନୀଭୂତ ହୋଇଥିଲା। ତେଣୁ ତାଙ୍କୁ ଥାନାକୁ ଡାକି ଘନ ଘନ ଜେରା କରିଥିଲା। ଶେଷରେ ପୋଲିସ୍ ଆଗରେ ସବୁ କଥା ସ୍ୱୀକାର କରିଥିଲେ ଦୁଃଶାସନ। ପୋଲିସ୍‌ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।