ଏଣିକି ଆଗୁଆ ମିଳିବ ବିପର୍ଯ୍ୟୟର ସୂଚନା

0
363
disaster
disaster
ଭୁବନେଶ୍ୱର : ଏଣିକି ଆଗୁଆ ମିଳିବ ବିପର୍ଯ୍ୟୟର ସୂଚନା । ସ୍ୱୟଂଚାଳିତ ପାଣିପାଗ ତଥ୍ୟଭିତିକ ନିଷ୍ପତି ସହାୟକ ବ୍ୟବସ୍ଥାର ବିକାଶ ଓ ତା’ର ପ୍ରାୟୋଜିତ କାର୍ଯ୍ୟକାରିତା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶୁକ୍ରବାର ଦିନ ସଚିବାଳୟ ଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ପକ୍ଷରୁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସ୍ୱୟଂଚାଳିତ ପାଣିପାଗ ତଥ୍ୟଭିତିକ ନିଷ୍ପତି ସହାୟକ ବ୍ୟବସ୍ଥାର ବିକାଶ ଓ ତା’ର ପ୍ରାୟୋଜିତ କାର୍ଯ୍ୟକାରିତା ପାଇଁ ଓସଡମା ଥାଇଲାଣ୍ଡର ବ୍ୟାଙ୍କକସ୍ଥିତ ଆଂଚଳିକ ସମ୍ମନ୍ୱିତ ବହୁମୁଖୀ ବିପଦ ପ୍ରାକ୍ ସୂଚନା ବ୍ୟବସ୍ଥା (ଆରଆଇଏମଇଏସ୍) ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି ।

ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟ ଗୁଡିକରେ ଯେପରି କୌଣସି ଜୀବନହାନୀ ନଘଟିବ , ତାହା ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାର ମୁଖ୍ୟ ଉଦ୍ଦେଶ୍ୟ । ଏହି ବୁଝାମଣାପତ୍ର ଦ୍ୱାରା ରାଜ୍ୟରେ ବନ୍ୟା, ମରୁଡି, ଗ୍ରୀଷ୍ମପ୍ରବାହ, ବଜ୍ରପାତ ଓ ସଡକ ଦୁର୍ଘଟଣା ସମ୍ବନ୍ଧୀୟ ପ୍ରାକ୍ ସୂଚନା ମିଳିବା ସହିତ ବିପର୍ଯ୍ୟୟ ଜନିତ ସମ୍ଭାବ୍ୟ କ୍ଷତିର ଆକଳନ ଓ ତତ୍ ସମ୍ବନ୍ଧୀୟ ପରାମର୍ଶ ମିଳିପାରିବ । ପ୍ରାଥମିକ ସ୍ତରରେ ଏହି ଚୁକ୍ତି ୫ ବର୍ଷ ପାଇଁ ସ୍ୱାକ୍ଷରିତ ହୋଇଛି ।

ସୂଚନାଯୋଗ୍ୟଯେ ରାଇମସ୍ ଜାତିସଂଘ ଦ୍ୱାରା ପଂଜୀକୃତ ଆନ୍ତର୍ଜାତୀୟ ଓ ଆନ୍ତଃ ପ୍ରଶାସନିକ ଅନୁଷ୍ଠାନ । ଏଥିରେ ୪୮ ଜଣ ସଦସ୍ୟ ଓ ସହଯୋଗୀ ରାଷ୍ଟ୍ର ରହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଓସଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଷ୍ଣୁପଦ ସେଠୀ ଓ ରାଇମସ୍ ପକ୍ଷରୁ ଶ୍ରୀ ଏ.ଆର୍ ସୁବେୟା ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ ।

ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷକମାନଙ୍କ ଆୟ ବୃଦ୍ଧି କରିବା ନିମନ୍ତେ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ , ଗ୍ରାମ୍ୟ ଉନ୍ନୟନ ଫାଉଣ୍ଡେସନ୍ , କୃଷି ପରିବେଶ ନିରାପତା ଫାଉଣ୍ଡେସନ୍ ଓ ଜାତୀୟ ନବସୃଜନ ଫାଇଣ୍ଡେସନ୍ -ଇଣ୍ଡିଆ ସହିତ ୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ , ଗ୍ରାମ୍ୟ ଉନ୍ନୟନ ଫାଇଣ୍ଡେସନ୍ ସହିତ ହୋଇଥିବା ବୁଝାମଣାପତ୍ର ଅନୁଯାୟୀ ଅନୁଗୁଳ , ଭଦ୍ରକ କଟକ, ଢେଙ୍କାନାଳ,ଯାଜପୁର , କେନ୍ଦୁଝର , ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ୨ ଲକ୍ଷ କ୍ଷୂଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ଆସନ୍ତା ୩ ବର୍ଷ ମଧ୍ୟରେ ପଦକ୍ଷେପ ନିଆଯିବ ଏବଂ ଏହାର ସଫଳତା ଭିତିରେ ଏହି ପଦ୍ଧତିକୁ ସମଗ୍ର ରାଜ୍ୟର ବିକଶିତ କରାଯିବ ।