ଇଛାଧୀନ କୋଟା ପ୍ରସଙ୍ଗ : କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଲା ଜିଏ

0
320
cs a p padhi
cs a p padhi

ଭୁବନେଶ୍ୱର : ରାଜ୍ୟରେ ହୋଇଥିବା ଇଛାଧୀନ କୋଟା ଅନିୟମିତତା ଉପରେ କାର୍ଯ୍ୟାନୁଷ୍ଠାନ ସଂପର୍କରେ ବିଡିଏ, ସିଡିଏ ଓ ହାଉସିଂବୋର୍ଡକୁ କୈଫତ ମାଗିଛି ସାଧାରଣ ପ୍ରଶାସନ(ଜିଏ) ବିଭାଗ । ସାତ ଦିନ ଭିତରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଇଛାଧୀନ କୋଟା କେଳେଙ୍କାରୀ ପ୍ରସଙ୍ଗରେ ଏବେ କ୍ରିୟାଶୀଳ ହୋଇଛି ସାଧାରଣ ପ୍ରଶାସନ ବିଭାଗ । ତାରା ଦତ କମିଟିର ସୁପାରସ କେତେ ଦୁର କାର୍ଯ୍ୟକାରୀ ହୋଇଛି ତାହା ଜାଣିବାକୁ ଚାହିଁଛି ବିଭାଗ । ବିଭାଗ ପକ୍ଷରୁ ବିଡିଏ, ସିଡିଏ ଓ ହାଉସିଂବୋର୍ଡକୁ ଏ ସଂପର୍କରେ ଜଣାଇବାକୁ ଚିଠି କରାଯାଇଛି ।

ସୁପାରସ ଆଧାରରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ସେ ସଂପର୍କରେ ୭ ଦିନ ଭିତରେ ରିପୋର୍ଟ ଦେବାକୁ ଏହି ଚିଠିରେ ୩ ସଂସ୍ଥାକୁ କୁହାଯାଇଛି । ତାରା ଦତ କମିଟି ସୁପାରିସ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଏ ଯାଏ ଏହି ୩ ସଂସ୍ଥା ରିପୋର୍ଟ ଦେଇ ନାହାନ୍ତି । ସେଥିପାଇଁ ବିଭାଗ ପକ୍ଷରୁ ଚିଠିରେ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଇଛାଧୀନ କୋଟାରେ ଏକାଧିକ ପ୍ଲଟ, ଘର ନେଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତାରା ଦତ କମିଟି ସୁପାରିସ କରିଥିଲେ । ଇଛାଧୀନ କୋଟାରେ ଜମି ,ଘର ହାତେଇଥିବା ଲୋକଙ୍କ ମଧ୍ୟରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଥିବାରୁ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେଉଥିବା ଆଲୋଚନା ହେଉଛି ।