ଇସ୍କନ ମନ୍ଦିର ସାମ୍ନାରୁ ଜବରଦଖଲ ଉଚ୍ଛେଦ

0
343
eviction from iscon
eviction from iscon
ଭୁବନେଶ୍ୱର : ଜୟଦେବ ବିହାରଠାରୁ ଆରମ୍ଭ କରି ଆଇଆରସି ଭିଲେଜ୍‌ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଉଛି । ଜବରଦଖଲ ଉଚ୍ଛେଦ ବେଳେ ସ୍ଥାନୀୟ ଇସ୍କନ ମନ୍ଦିର ସାମ୍ନାରେ ପୋଲିସ ଓ ଇସ୍କନ ଅନୁଗାମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି।

 ସୂଚନାନୁସାରେ, ଇସ୍କନ ମନ୍ଦିର ସମାଧୀର ଜବରଦଖଲ ଉଚ୍ଛେଦ ନହେବା ପାଇଁ ଇସ୍କନ ଅନୁଗାମୀମାନେ ସେଠାରେ ଅଡି ବସିଥିଲେ। ଫଳରେ ଜବର ଦଖଲ ଉଚ୍ଛେଦ ହେବାରେ ବାଧା ଉପୁଜିଥିଲା। ଇସ୍କନ ଅନୁଗାମୀଙ୍କୁ ପ୍ରଥମେ ପୋଲିସ ବୁଝାସୁଝା କରିବା କରିବା ପରେ ବି ସେମାନେ ସେଠାରୁ ନହଟିବାରୁ ପୋଲିସ ବଳପୂର୍ବକ ଉଠାଇଥିଲା। ଘଟଣାସ୍ଥଳରେ ଲାଠି ଚାର୍ଜ କରିଥିଲା ପୋଲିସ। କ୍ରମେ ଅନୁଗାମୀ ଓ ପୋଲିସଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାର ଦେଖାଦେଇଛି। ଅପରପକ୍ଷେ ଏହି ସମୟରେ ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଜଣେ ଇସ୍କନ ଭକ୍ତଙ୍କ ମୁଣ୍ଡ ଫାଟିଯାଇଥିବା ସୂଚନା ମିଳିଛି। ସେଠାରେ ଏବେ ବି ପରିସ୍ଥିତି ଉତ୍ତେଜନା ଲାଗିରହିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଲଗାଣ ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ ହେବା ପରେ ଭୁବନେଶ୍ୱର ଡେପ୍‌ଲପ୍‌ମେଣ୍ଟ ଅଥରିଟି (ବିଡିଏ) ଓ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍‌ (ବିଏମ୍‌ସି) ସହରରେ ଜବର ଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଯେଉଁମାନେ ବେଆଇନଭାବେ ଜାତୀୟ ରାଜପଥକୁ ମାଡ଼ି ବସିଛନ୍ତି ସେମାନଙ୍କୁ ହଟାଯାଉଛି । ଜୟଦେବ ବିହାରଠାରୁ ଆରମ୍ଭ କରି ଆଇଆରସି ଭିଲେଜ୍‌ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଉଛି ।

ନୋଟିସ ପରେ ଆଜି ଇସ୍କନ ମନ୍ଦିରର ଥିବା ସମାଧି ସ୍ଥଳରୁ ପ୍ରଥମେ ଉଚ୍ଛେଦ ଆରମ୍ଭ କରିଥିଲା ପୋଲିସ। ଜାତୀୟ ରାଜପଥକୁ ଲାଗି ପ୍ରାୟ ୨୦ରୁ ୩୦ ଫୁଟ ଜାଗା ଜବରଦଖଲ କରି ଇସ୍କନ ନିର୍ମାଣ କରିଥିବା ଗୌରଗୋବିନ୍ଦ ଗୁରୁଗୋସ୍ୱାମୀ ମହାରାଜାଙ୍କର ସମାଧିସ୍ଥଳକୁ ବିଏମସି ଓ ବିଡିଏ ପକ୍ଷରୁ ଭଙ୍ଗାଯାଇଛି । ଏହାର ପ୍ରତିରୋଧରେ ଇସ୍କନ ଅନୁଗାମୀ ଓ ପୋଲିସଙ୍କ ମଧ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଇସ୍କନ ଅନୁଗାମୀଙ୍କ ଅଭିଯୋଗନୁଯାୟୀ, ଗତ ୨୫ ତାରିଖରେ ବେଆଇନ ନିର୍ମାଣ ଭାଙ୍ଗିବାକୁ ବିଏମ୍‌ସି ଇସ୍କନ୍‌କୁ ନୋଟିସ୍ କରିଥିଲା। ତେବେ ଏତେ କମ୍ ସମୟ ଭିତରେ ସମାଧିସ୍ଥଳ ହଟାଇବା କଷ୍ଟକର ହୋଇଥିବାରୁ ଅଧିକ ସମୟ ଦେବାକୁ ସେମାନେ ଦାବି କରିଥିଲେ। ହେଲେ ସେମାନଙ୍କ ଦାବିକୁ ଅଣଦେଖା କରି ହଠାତ୍ ସମାଧିସ୍ଥଳ ଭଙ୍ଗାଯିବା ଘଟଣାକୁ ସେମାନେ ବିରୋଧ କରିଥିଲେ।