ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ ଜାରି ରଖିବ। କୃଷକଙ୍କ ସୁରକ୍ଷା ଭତ୍ତା ନେଇ ସରକାର ପ୍ରଥମେ ଅଧ୍ୟାଦେଶ ଆଣନ୍ତୁ ଏବଂ ପରେ ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।
ଚାଷୀଙ୍କ ଦାବି ନେଇ ଆସନ୍ତା ୧୨ ତାରିଖରେ ରାଜ୍ୟର ସବୁ ପଞ୍ଚାୟତରେ ସତ୍ୟାଗ୍ରହ ସହ ଧାରଣା ଦିଆଯିବ । ସେହିପରି ତା’ର ୨ ଦିନ ଅର୍ଥାତ୍ ନଭେମ୍ବର ୧୫ ତାରିଖରେ ପୁଣି ସମସ୍ତ ଥାନା ଆଗରେ ଧାରଣା ଦିଆଯିବା ସହ ସତ୍ୟାଗ୍ରହ କରାଯିବ ଏବଂ ଆଗକୁ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ନେତାଙ୍କୁ ଅଭିନବ ଉପାୟରେ ବିରୋଧ କରାଯିବା ନେଇ ମଧ୍ୟ ସେ କହିଛନ୍ତି।
ଏହାବ୍ୟତିତ ଚାଷୀଙ୍କ ଦାବିକୁ ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପାଇଁ ସେ ସର୍ତ୍ତ ରଖିଛନ୍ତି। ସରକାରଙ୍କ ସହ ଆଲୋଚନା ପୂର୍ବରୁ ସେ ରାଜ୍ୟରେ ଥିବା ୩୬ ଲକ୍ଷ କୃଷକଙ୍କ ପାଇଁ ୨୧ ହଜାର ୬ ଶହ କୋଟି ଟଙ୍କାର ସୁରକ୍ଷା ଭତ୍ତା ଦାବି କରିଛନ୍ତି। ସୁରକ୍ଷା ଭତ୍ତା ନେଇ ଅଧ୍ୟାଦେଶ ଆଣିବା ପରେ ଆଲୋଚନାକୁ ଡାକନ୍ତୁ ବୋଲି ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ କୁମାର କହିଛନ୍ତି ।