ଭୁୁବନେଶ୍ୱର : ସମ୍ବଲପୁର ନାବାଳିକା ଗଣଦୁଷ୍କର୍ମ ଓ ପରେ ପୀଡିତା ଆତ୍ମହତ୍ୟା ମାମଲାରେ ୫ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଅଦାଳତ । ଗୋଟିଏ ମାସ ଭିତରେ ସମ୍ବଲପୁର ପକ୍ସୋ ଅଦାଳତର ଜଜ ଉଦୟଭାନୁ ଜେନା ଏହି ରାୟ ଶୁଣାଇଛନ୍ତି ।
ବହୁ ଚର୍ଚ୍ଚିତ ସମ୍ବଲପୁର ଶାସନ ଥାନା ପୋଲିସ ନାବାଳିକା ଗଣଦୁଷ୍କର୍ମ ମାମଲାର ଐତିହାସିକ ରାୟ ଶନିବାର ରାତିରେ ପ୍ରକାଶ ପାଇଛି । ଭାରତ ସରକାରଙ୍କ ପକ୍ସୋ ଆଇନ(ଯୌନ ଅପରାଧରୁ ଶିଶୁ ସୁରକ୍ଷା) ୨୦୧୨ ଅନୁଯାୟୀ ଦୁଷ୍କର୍ମ ମାମଲାର ଗୋଟିଏ ବର୍ଷ ଭିତରେ ବିଚାର ପ୍ରକ୍ରିୟା ଶେଷ କରିବା ଆଇନ ଥିବା ବେଳେ ଘଟଣାର ଗୋଟିଏ ମାସ ଭିତରେ ସମ୍ବଲପୁର ପକ୍ସୋ ଅଦାଳତର ଜଜ ଉଦୟଭାନୁ ଜେନା ରାୟ ଶୁଣାଇଛନ୍ତି । ଜଜ ଜେନା ମାମଲାର ବିଚାର ବେଳେ ୨୧ ଜଣ ସାକ୍ଷୀଙ୍କ ବୟାନକୁ ପ୍ରମାଣିତ କରି ଗଣଦୁଷ୍କର୍ମରେ ସଂପୃକ୍ତ ୫ଜଣ ଅଭିଯୁକ୍ତ ଆଫଜଲ ରାଜା ଓରଫ କାର୍ତ୍ତିକ, ଅଭିଳାଷ ପଞ୍ଚବିହା, ଆଶୀର୍ବାଦ ବେହେରା, ଟିନୁ ସାହୁ ଓ ହାଡୁ ସାହୁକୁ ଆଜୀବନ କାରାଦଣ୍ଡ ସହିତ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଶୁଣାଇଛନ୍ତି । ଏହି ଦୁଷ୍କର୍ମ ଘଟଣାରେ ଜଣେ ନାବାଳକ ମଧ୍ୟ ସାମିଲ ରହିଛି ବୋଲି ଜଜ ରାୟରେ ପ୍ରକାଶ କରିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ଏହି ରାୟ ପାଇଁ ସକାଳ ପ୍ରାୟ ୭ଟାରୁ ଅଦାଲତ ଆରମ୍ଭ ହୋଇଥିବା ବେଳେ ରାତି ପ୍ରାୟ ୧୦ଟାରେ ଶେଷ ହୋଇଛି, ଯାହାକୁ କି ଓଡ଼ିଶାର ବିଚାର ବିଭାଗର ଇତିହାସରେ ବିରଳ ବିଚାର ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
ପୂର୍ବରୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜଷ୍ଟ୍ରେଟ ବିଶ୍ୱକଳ୍ପିତା ମହାନ୍ତି ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କରିଥିଲେ । ଏ ନେଇ ଅଭିଯୁକ୍ତମାନେ ପକ୍ଷ ରଖିବା ପରେ ଉଭୟ ପକ୍ଷର ଓକିଲଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ରାତି ପ୍ରାୟ ୮ଟାରେ କୋର୍ଟ ମାମଲାର ରାୟ ଶୁଣାଇ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ପରବର୍ତ୍ତୀ ସମୟରେ ଦୋଷୀମାନଙ୍କୁ ଦଣ୍ଡ ଶୁଣାଣୀ କରାଯାଇଥିଲା । ପବ୍ଲିକ ପ୍ରସିକ୍ୟୁଟର ଆର୍ତ୍ତତ୍ରାଣ ମିଶ୍ର, ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସନ୍ତୋଷ ପଣ୍ଡା ଓ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ହେରମ୍ବ ଚନ୍ଦ୍ର ଦାନୀ ସରକାରଙ୍କ ପକ୍ଷରୁ ମାମଲାର ପରିଚାଳନା କରୁଥିଲେ । ଅନ୍ୟପକ୍ଷରେ ୪ଜଣ ଅଭିଯୁକ୍ତଙ୍କ ପାଇଁ ମାମଲା ପରିଚାଳନା କରୁଥିବା ଓକିଲ ପ୍ରୀତିରଞ୍ଜନ ପଟ୍ଟନାୟକ ଓ ସତ୍ୟନାରାୟଣ ବହିଦାର ରାୟ ଏକପାଖିଆ ହୋଇଛି କହି ହାଇକୋର୍ଟ ଯିବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ଛାତ୍ରୀ ଜଣକ ଗତ ମେ’ ମାସ ୨ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଘଟଣା ଦିନ ସେ ସନ୍ଧ୍ୟାରେ ଜିନିଷ କିଣିବାକୁ ବଜାରକୁ ଯାଇଥିଲେ । ବଜାରରୁ ଫେରିବା ବେଳେ ଜଣେ ଦଶମ ଶ୍ରେଣୀର ଛାତ୍ର କଥାବାର୍ତ୍ତା ହେବା ପାଇଁ ଅଟକାଇଥିଲା । ଏକାକୀ ପାଇ ସେ ଛାତ୍ରୀଙ୍କୁ ସ୍କୁଲ ବାରଣ୍ଡାକୁ ନେଇ ଦୁଷ୍କର୍ମ କରିଥିଲା । ସେହି ସମୟରେ ଆଉ ଦୁଇ ଜଣ ସ୍କୁଲକୁ ପହଞ୍ଚି ଛାତ୍ରୀଙ୍କୁ ବଦନାମ କରିବାକୁ କହି ବାଇକରେ ନେଇ ଯାଇଥିଲେ ଓ ଗଣଦୁଷ୍କର୍ମ କରିଥିଲେ । ପରେ ଏହି ଘଟଣାରେ ଆଉ ୩ଜଣ ଯୁବକ ସାମିଲ ହୋଇଥିଲେ । ଛାତ୍ରୀଙ୍କୁ ରାତି ସାରା ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଷ୍କର୍ମ କରାଯାଇଥିବା ଚାର୍ଜ ସିଟରେ ଦର୍ଶାଯାଇଛି । ଦୁଷ୍କର୍ମର୧୫ ଦିନ ପରେ ଶାସନ ପୋଲିସ କୋର୍ଟରେ ଚାର୍ଜ ସିଟ ଦାଖଲ କରିଥିଲେ । ମାତ୍ର ମାନସିକା ଚାପ ଓ ଲୋକଲଜ୍ଜାକୁ ସହି ନପାରି ପୀଡିତା ନିଜ ଭଡାଘରେ ଗତ ମେ’ ୨୩ରେ ଆତ୍ମହତ୍ୟା କରିଥିଲେ ।