ପାଞ୍ଚ ମହିଳା କଳାକାରଙ୍କୁ ଗଣ ବଳାତ୍କାର

0
322
gang rape
gang rape
ଝାଡ଼ଖଣ୍ଡ : ପାଞ୍ଚ ଜଣ ମହିଳା କଳାକାରଙ୍କୁ ଗଣ ବଳାତ୍କାର କରାଯାଇଛି ।ଏଭଳି ଘଟଣା ଝାଡ଼ଖଣ୍ଡର ଖୁଣ୍ଟୀ ଜିଲ୍ଲାର କୋଚାଙ୍ଗ ଅଂଚଳରେ ଘଟିଥିବା ଜଣାପଡ଼ିଛି । ପୋଲିସ ୯ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ବନ୍ଧୁକ ମୁନରେ ଏକା ସାଙ୍ଗରେ ପାଞ୍ଚ ଜଣ ମହିଳା କଳାକାରଙ୍କୁ ଗଣ ବଳାତ୍କାର କରାଯାଇଛି । ଏଭଳି ଏକ ରୋମଟାଙ୍କୁରି ଉଠିବା ଭଳି ଘଟଣା ଝାଡ଼ଖଣ୍ଡର ଖୁଣ୍ଟୀ ଜିଲ୍ଲାର କୋଚାଙ୍ଗ ଅଂଚଳରେ ଘଟିଥିବା ଜଣାପଡ଼ିଛି । ଘଟଣାଟି ପୁଣି ମଙ୍ଗଳବାରରୁ ଘଟିଥିବା ବେଳେ ଆଜି ଏହା ସାମ୍ନାକୁ ଆସିଛି । ସବୁ ପୀଡିତା ପଥପ୍ରାନ୍ତ ନାଟକ ଜରିଆରେ ଲୋକଙ୍କୁ ସଚେତନା କରାଇଥାନ୍ତି । ମାତ୍ର ଖୁଣ୍ଟି ଜିଲ୍ଲାର କୋଚାଙ୍ଗ ଗାଁକୁ ପଥପ୍ରାନ୍ତ ନାଟକ କରିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶୀକାର ହୋଇଛନ୍ତି । ସାମାଜିକ କାର୍ୟ୍ୟକର୍ତ୍ତାଙ୍କୁ ପୀଡିତାମାନେ ଘଟଣା ବିଷୟରେ ଅବଗତ କରାଇବା ପରେ ପୋଲିସକୁ ଏହାର ସୂଚନା ଦିଆଯାଇଛି । ମାମଲାରେ ଜଣେ ଚର୍ଚ୍ଚର ଫାଦରଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଥିବା ବେଳେ ୯ ଜଣଙ୍କୁ ଅଟକ ରଖାଯାଇଛି ।

ପୋଲିସର କହିବା ମୁତାବକ ପାଂଚ ଜଣ ମହିଳା ଏକ ଏନଜିଓରେ କାମ କରନ୍ତି । ସେମାନେ ନାଟକ କରିବାକୁ କୋଚାଙ୍ଗ ଗ୍ରାମକୁ ଯାଇଥିବାବେଳେ ସେଠାରେ ଆରସି ମିଶନ ସ୍କୁଲରେ ରହିଥିଲେ । କିଛି ଅଜଣା ଯୁବକ ସେମାନଙ୍କୁ ଅପହରଣ କରି ନେଇଥିଲେ । ଏହା ସହିତ ସେମାନଙ୍କ ପୁରୁଷ ବନ୍ଧୁମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହା ପରେ ନିକଟସ୍ଥ ଜଙ୍ଗଲରେ ବନ୍ଧୁକ ଦେଖାଇ ସେମାନଙ୍କୁ ଦୁଷ୍କର୍ମ କରାଯାଇଛି ଏବଂ ଏହି ସମୟର ଦୃଶ୍ୟ ନିଜ ମୋବାଇଲ ଫୋନ୍‌ କ୍ୟାମେରାରେ କଏଦ କରି ରଖିଥିଲେ। ଦୀର୍ଘ ଚାରି ଘଣ୍ଟା ଧରି ସେମାନଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ ହୋଇଛି।

ଅଭିଯୋଗ ପରେ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏ ପର୍ୟ୍ୟନ୍ତ ଅଭିଯୁକ୍ତଙ୍କ ପରିଚୟ ମିଳି ପାରି ନାହିଁ । ମାମଲାର ତଦନ୍ତ ପାଇଁ ଡିଆଇଜି ଅମୋଲ ବି ହୋମକର ତିନୋଟି ଟିମ୍‌ ଗଠନ କରିଛନ୍ତି । ତେବେ ଅଭିଯୁକ୍ତମାନେ ଆଦିବାସୀ ଗ୍ରାମରେ ଚାଲିଥିବା ପତଥଲ୍‌ଗଡ଼ୀ ଆନ୍ଦୋଳନର ସଦସ୍ୟ ହୋଇଥାଇପାରନ୍ତି ବୋଲି ଅନୁମାନ କରିଛି ପୋଲିସ ।  ଏହା ସହିତ ଜଣେ ଚର୍ଚ୍ଚର ଫାଦର୍‌ଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ସେଥିପାଇଁ ପୋଲିସ ୯ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ କହିଛନ୍ତି ଏହା ଏକ ଲଜ୍ଜା ଜନକ ଘଟଣା । ଅପରାଧୀଙ୍କ ସହିତ ଘଟଣାକୁ ଲୁଚାଇଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।