ବୈତରଣୀରେ ବନ୍ୟା ଆଶଙ୍କା

0
391
baitarani flood
baitarani flood
ଭୁବନେଶ୍ୱର : ବିପଦ ସଙ୍କେତ ଟପି ବୈତରଣୀରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ଭଦ୍ରକ ଆଖୁଆପଦାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି ।
ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀ ଜଳ ବିପଦ ସଙ୍କେତ ଟପିଥିବା ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ସେହିପରି କେନ୍ଦୁଝରରେ ବୈତରଣୀ ନଦୀ ଜଳ ବିପଦ ସଙ୍କେତରେ ପ୍ରବାହିତ ହେଉଥିବା ସୂଚନା ମିଳିଛି ।   ବୈତରଣୀରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ଭଦ୍ରକ ଆଖୁଆପଦାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଧାମନଗର ଓ ଭଣ୍ଡାରୀ ପୋଖରୀରେ ବନ୍ୟା ଆଶଙ୍କା ଦେଖା ଦେଇଛି । ଏହା ଦ୍ୱାରା ପ୍ରାୟ ୮ରୁ ୯ଟି ପଂଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଆଖୁଆପଦାରେ ବିପଦ ସଂକେତ ୧୭.୭୮ ଫୁଟ ରହିଛି । ସକାଳ ୧୦ଟା ସୁଦ୍ଧା ୧୭.୭୭ ଫୁଟରେ ଜଳ ପ୍ରବାହିତ ହେଉଥିଲା ।

ସେହିପରି କେନ୍ଦୁଝର ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୭.୪୪୫ ଫୁଟ ରହିଥିବାବେଳେ ଆଜି ସକାଳ ସୁଦ୍ଧା ଜଳ ସ୍ତର ୩୭ ଫୁଟ ରହିଥିବା ଜଣାପଡ଼ିଛି । ସେପଟେ ରାୟଗଡ଼ାରେ ନାଗାବଳୀ ଓ ବଂଶଧାରାର ଜଳସ୍ତର କମିଛି ।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ଆଜି ଏହା ଧିରେ ଧିରେ ଦୁର୍ବଳ ହେଉଛି । ମାତ୍ର ଏହା ୱେଲ୍‌ ମାର୍କରେ ରହିଛି । ଏହାର ପ୍ରଭାବରେ ଉପକୂଳରେ ବର୍ଷାର ପରିମାଣ କମ୍‌ ହେବାର ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ବର୍ଷା କମିବା ନେଇ ପାଣିପାଗ ବିଭାଗ  ପକ୍ଷରୁ ସୂଚନା ଦିଆଯାଇଛି ।