ସ୍ମାର୍ଟସିଟି ଭୁବନେଶ୍ୱରର ଅବସ୍ଥା ଆଜି ସକାଳୁ ବେହାଲ ହୋଇଥିବା ଦେଖାଯାଇଛି । ଚାରିଆଡେ ଖାଲି ପାଣି ହିଁ ପାଣି ଦେଖାଯାଉଛି । ସକାଳୁ ରାଜଧାନୀରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବହୁ ସ୍ଥାନରେ ପାଣିରେ ଯାନବାହାନ ସବୁ ଫସି ରହିଥିବା ଦେଖିବାକୁ ମିଳିଛି । ରାଜଧାନୀବାସୀ ଘରୁ ଗୋଡ ମଧ୍ୟ ବାହାର କରି ପାରୁନାହାନ୍ତି । କହିବାକୁ ଗେଲେ ଭୁବନେଶ୍ୱରରେ ଦେଖାଦେଇଛି ବନ୍ୟା ପରିସ୍ଥିତି ।
ଇସ୍କନ ମନ୍ଦିର ସାମ୍ନାର ଅବସ୍ଥା ଶୋଚନୀୟ ହୋଇଥିବାବେଳେ ଏକ ବସ୍ ପାଣି ଭିତରେ ଫସି ରହିଥିବା ଦେଖିବାକୁ ମିଳିଛି । ତେବେ ବସରେ ଥିବା ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି । ଅନେକ ଗାଡି ଏହି ସ୍ଥାନରେ ଅଟକି ରହିଥିବା ସହ ପୂର୍ବ ଭଳି ଅବସ୍ଥା ସୃଷ୍ଟି ହୋଇଛି ।
ସେହିପରି ଜୟଦେବବିହାର ଅଂଚଳରେ ଏକପ୍ରକାର କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ବେହେରା ସାହି, ଖଣ୍ଡଗିରି, ନୟାପଲ୍ଲୀ, ଜାଗମରା, ଶିରିପୁର ଆଦି ଅଂଚଳରେ ପାଣି ପଶି ଯିବା ସହ ସାଧାରଣ ଲୋକଙ୍କ ଜୀବନଜାପନ ବାଧାପ୍ରାପ୍ତ ହୋଇଛି । ରାସ୍ତା ଉପରେ ପାଣିର ସୂଅ ଛୁଟୁଥିବାବେଳେ ନର୍ଦ୍ଦମା ପାଣି ମଧ୍ୟ ରାସ୍ତା ଉପରେ ମିଶି ଯାଇଛି । ତେବେ ଏହି ଲଘୁଚାପଜନିତ ବର୍ଷା ଆହୁରି ୪୮ ଘଂଟା ରହିବ ବୋଲି ଅନୁମାନ ଲଗାଇଛି ପାଣିପାଗ ବିଭାଗ ।