ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରକାଶ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ରାଜ୍ୟ ସରକାର ସଜାଗ ଅଛନ୍ତି। ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ସତର୍କ ରହିବାକୁ ସୂଚନା ଦିଆଯାଇଛି।
ତିନୋଟି ଜିଲ୍ଲା ଦେବଗଡ , ସୁନ୍ଦରଗଡ ଓ ଗଜପତି ଜିଲ୍ଲାକୁ ଛାଡି ଅନ୍ୟ ୨୭ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟା ହେବାର ସମ୍ଭାବନା ରହିଥିବା ବେଳେ ଆବଶ୍ୟକ ରିଲିଫ ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ଚିଠିରେ ଜଣାଇ ଦିଆଯାଇଛି। ବନ୍ୟା ହେଲେ ପରେ କ୍ଷୟକ୍ଷତି ବାବଦକୁ ଲୋକଙ୍କୁ କ୍ଷତିପୂରଣ ଦିଆଯିବା ନେଇ ପରେ ଆଲୋଚନା କରାଯିବା ବୋଲି ସେ କହିଛନ୍ତି।