ନିଜର ସ୍ଥିତି ଜାହିର କରିବାକୁ ଶହୀଦ ସପ୍ତାହ ପାଳନ କରିଥିବା ଲାଲବାହିନୀଙ୍କ ବିରୋଧରେ ଛତିଶଗଡ଼ ପୋଲିସକୁ ଏକ ବଡ଼ ସଫଳତା ମିଳିଛ । ସୁକମା ଜିଲ୍ଲା ଅନ୍ତର୍ଗତ ଗୋଲାପାଲିରେ ଗୁଳି ବିନିମୟ ସମୟରେ ୧୪ ଜଣ ମାଓବାଦୀ ପୋଲିସ ଗୁଳିରେ ଟଳିପଡ଼ିଛନ୍ତି । ଏହା ସହିତ ପୋଲିସ ୧୬ ଅସ୍ତ୍ରଶସ୍ତ୍ର ସହିତ ବହୁ ମାଓ ସାମଗ୍ରୀ ଜବତ କରିଥିବା ଏସ୍ପି ଅଭିଷେକ ମୀନା ସୂଚନା ଦେଇଛନ୍ତି ।
ସୁକମା ଗୋଲାପାଲି ଓ କୋଣ୍ଟା ଥାନା ମଧ୍ୟରେ ଶତାଧିକ ମାଓବାଦୀ ଏକତ୍ରିତ ହେବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ଏସ୍ପି ଅଭିଷେକ ମୀନାଙ୍କ ନେତୃତ୍ୱରେ ଏସ୍ଟିଏଫ୍ ଓ ଡିଆର୍ଜି ଯବାନଙ୍କୁ ନେଇ ଅପରେସନ୍ ଆରମ୍ଭ ହୋଇଥିଲା । ସୁରକ୍ଷାକର୍ମୀମାନେ କୋଣ୍ଟାର ନୁଲକାତୁଙ୍ଗ ଗ୍ରାମ ନିକଟ ଜଙ୍ଗଲରେ ପହଁଚି ପ୍ରଥମେ ସେଠାରେ ଘେରାଉ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଗୁଳିବିନିମୟ ।
ମାଓବାଦୀମାନେ ମଧ୍ୟ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲା । କିନ୍ତୁ ଯବାନଙ୍କ ସାମ୍ନାରେ ଅଧିକ ସମୟରେ ତିଷ୍ଠି ପାରି ନ ଥିଲେ ମାଓବାଦୀ । ଫଳରେ ୧୪ ଜଣ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡ଼ିଥିଲେ । ଏନକାଉଂଟର ସ୍ଥଳରୁ ପୋଲିସକୁ ୧୬ଟି ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ମିଳିଛି । ଏହି ଅପରେସନ୍ ଗତକାଲିଠାରୁ ଆରମ୍ଭ ହୋଇଥିବା ଜଣାପଡ଼ିଛି । ସଂପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା ମିଳିଛି ।