ସନ୍ଧ୍ୟା ପ୍ରାୟ ୪ଟାରେ ଦିଲ୍ଲୀ ସ୍ଥିତ ସ୍ମୃତି ସ୍ଥଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ସଂସ୍କାର ହୋଇ ଯାଇଛି। ହଜାର ସଂଖ୍ୟକ ଲୋକ ନିଜର ପ୍ରିୟ ନେତାଙ୍କୁ ଅଦ୍ଭୁତପୂର୍ଣ୍ଣ ବିଦାୟ ଦେଇଥିଲେ । ତାଙ୍କର ଅନ୍ତିମ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକ ସଡ଼କୁ ଓହ୍ଲାଇ ଆସିଥିଲେ। ଅନ୍ତିମ ଯାତ୍ରା ବିଜେପି ମୁଖ୍ୟାଳୟରୁ ଆରମ୍ଭ ହୋଇ ରାଷ୍ଟ୍ରୀୟ ସ୍ମୁତି ସ୍ଥଳ ପର୍ୟ୍ୟନ୍ତ ଚାଲିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମିତ୍ ଶାହା, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ସମେତ ବିଜେପିର ଅନେକ ବରିଷ୍ଠ ନେତା ଅଟଳଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇ ପାଦରେ ଚାଲି ଚାଲି ଯାଇଥିଲେ।
ଅନ୍ତିମ ଯାତ୍ରାରେ ଆବାଳ ବୃଦ୍ଧ ବନିତା ସମସ୍ତେ ସାମିଲ ହୋଇ ଅଟଳଙ୍କୁ ବିଦାୟ ଦେଇଥିଲେ। ତାଙ୍କର ଟିକେ ଝଲକ ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ଓ ଶାହା ପ୍ରାୟ 6 କିମି ପାଦରେ ଚାଲି ଅଟଳଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ। ବିଜେପି ମୁଖ୍ୟାଳୟଠୁ ସ୍ମୁତି ସ୍ଥଳର ଦୂରତା ଅତିକ୍ରମ କରିବା ପାଇଁ 2 ଘଣ୍ଟାର ସମୟ ଲାଗିଥିଲା।
ବାଜପେୟୀଙ୍କ ପାର୍ଥିବ ଶରୀରକୁ କୃଷ୍ଣ ମେନନ ସ୍ଥିତ ତାଙ୍କ ବାସଭବନରୁ ସକାଳ ୧୧ଟାରେ ଦୟାଲ ମାର୍ଗ ସ୍ଥିତ ଭାରତୀୟ ଜନତା ପାର୍ଟିର ମୁଖ୍ୟାଳୟକୁ ଅଣାଯାଇଥିଲା। ଏଠାରେ ବଡ଼ ସଂଖ୍ୟାରେ ଶିଶୁଠୁ ନେଇ ବୃଦ୍ଧ ପର୍ୟ୍ୟନ୍ତ ସମସ୍ତେ ଉପସ୍ଥିତ ଥିଲେ। ନିଜ ପ୍ରିୟ ନେତାର ଅନ୍ତିମ ଦର୍ଶନ ପାଇଁ ଲୋକେ ଗଛ ଉପରକୁ ମଧ୍ୟ ଚଢି ଯାଇଥିଲେ। ମୁଖ୍ୟାଳୟରେ ଅନେକ ମାନ୍ୟଗତ ତଥା ବିଶିଷ୍ଟ ବ୍ୟକ୍ତି ଅଜାତଶତ୍ର ଅଟଳଙ୍କୁ ଅନ୍ତିମ ଦର୍ଶନ କରିଛନ୍ତି।