ଆଜି ସନ୍ଧ୍ୟାରେ ରାଜ୍ୟପାଳ ଭାବେ ଶପଥ ନେବେ ଗଣେଶୀ ଲାଲ

0
377
guv ganeshi lal
guv ganeshi lal

ଭୁୁବନେଶ୍ୱର : ମଙ୍ଗଳବାର ସନ୍ଧ୍ୟା ୬ଟା ୧୦ରେ ରାଜଭବନରେ ଅନୁଷ୍ଠିତ ଏକ ସମାରୋହରେ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଫେସର ଗଣେଶୀ ଲାଲ ।

ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ପୂବାହ୍ନ ୧୦ଟାରେ ପୁରୀରେ ଶ୍ରୀଜଗନ୍ନାଥ ଦର୍ଶନ କରିବେ । ଶ୍ରୀକ୍ଷେତ୍ରରୁ ଫେରିବା ପରେ ସନ୍ଧ୍ୟା ୬ଟା ୧୦ରେ ରାଜଭବନରେ ଅନୁଷ୍ଠିତ ଏକ ସମାରୋହରେ ବର୍ତ୍ତମାନର ଅସ୍ଥାୟୀ ରାଜ୍ୟପାଳ ଦାୟିତ୍ୱରେ ଥିବା ସତ୍ୟପାଲ ମଲ୍ଲିକଙ୍କ ଠାରୁ ଓଡ଼ିଶାର ୪୫ତମ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ରାଜ୍ୟପାଳ ଗଣେଶୀ ଲାଲ ସୋମବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ନେତୃବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ରାଜ୍ୟ ପୋଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଗଣେଶୀ ଲାଲଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦରକୁ ବିଧାନସଭା ଉପବାଚସ୍ପତି ସାନନ୍ଦ ମାର୍ଣ୍ଣି, ମନ୍ତ୍ରୀ ଶଶୀଭୂଷଣ ବେହେରା, ଅନନ୍ତ ଦାସ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଫୁଲ୍ଲ ସାମଲ, ରମେଶ ମାଝୀ, ଚନ୍ଦ୍ର ସାରଥୀ ବେହେରା, ବିଧାୟକ ସୁଦାମ ମାର୍ଣ୍ଣି, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯାଇଥିଲେ ।

ସୂଚନାଯୋଗ୍ୟ ଓଡ଼ିଶାର ରାଜ୍ୟପାଳ ହେବା ନେଇ ମେ’ ମାସ ୨୫ରେ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶନାମା ଜାରି କାରାଯାଇଥିଲା । ନିର୍ଦ୍ଦେଶନାମା ଅନୁସାରେ ହରିୟାଣାର ସିରସା ମହାବିଦ୍ୟାଳୟର ପୂର୍ବତନ ଗଣିତ ଅଧ୍ୟାପକ ଗଣେଶୀ ଲାଲଙ୍କୁ ଓଡ଼ିଶାର ରାଜ୍ୟପାଳ କରାଯିବା ନିର୍ଦ୍ଧାରଣ କରାଯାଇଥିଲା । ଗଣେଶୀ ୧୯୯୧ରେ ସିରସା ଆସନରୁ ବିଜେପିରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ୧୯୯୯୬ରେ ସେହି ଆସନରୁ ବିଜୟୀ ହୋଇ ହରିୟାଣା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୬-୯୯ରେ ବିଜେପି ଓ ହରିୟାଣା ବିକାଶ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟ ସରକାରରେ ସେ ଖାଦ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ।