ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଶପଥ ପାଠ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟା ୬ଟା ୧୦ରେ ରାଜଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ସେ ଶପଥ କରିବା ସହ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଶ୍ରୀ ଲାଲଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ତୈଳ ବିଶୋଧନାଗାର ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ହାଇକୋର୍ଟର ବିଚାରିପତି, ଓଡ଼ିଶା ଏବଂ ହରିଆନା ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ, ରାଜ୍ୟ ବିରୋଧି ଦଳର ନେତା ନରସିଂହ ମିଶ୍ର, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ପ୍ରଶାସନିକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଶପଥ ପାଠ ଉତ୍ସବ ପରେ ରାଜ୍ୟ ପୋଲିସ ପକ୍ଷରୁ ଗାର୍ଡ଼ ଅଫ ଅନର ସହ ତୋପ ସଲାମି ଦିଆଯାଇଥିଲା । ପୂର୍ବତନ ରାଜ୍ୟପାଳ ଡ. ଏସ.ସି ଜମିରଙ୍କ କାର୍ଯ୍ୟକାଳ ପୂରିବା ପରେ ବିହାରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକକୁ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।
ସୂଚନାଯୋଗ୍ୟ ଓଡ଼ିଶାର ରାଜ୍ୟପାଳ ହେବା ନେଇ ମେ’ ମାସ ୨୫ରେ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶନାମା ଜାରି କାରାଯାଇଥିଲା । ନିର୍ଦ୍ଦେଶନାମା ଅନୁସାରେ ହରିୟାଣାର ସିରସା ମହାବିଦ୍ୟାଳୟର ପୂର୍ବତନ ଗଣିତ ଅଧ୍ୟାପକ ଗଣେଶୀ ଲାଲଙ୍କୁ ଓଡ଼ିଶାର ରାଜ୍ୟପାଳ କରାଯିବା ନିର୍ଦ୍ଧାରଣ କରାଯାଇଥିଲା । ଗଣେଶୀ ୧୯୯୧ରେ ସିରସା ଆସନରୁ ବିଜେପିରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ୧୯୯୯୬ରେ ସେହି ଆସନରୁ ବିଜୟୀ ହୋଇ ହରିୟାଣା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୬-୯୯ରେ ବିଜେପି ଓ ହରିୟାଣା ବିକାଶ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟ ସରକାରରେ ସେ ଖାଦ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ।