୨୦୧୯ରେ ହେବ ସାଧାରଣ ନିର୍ବାଚନ

0
264
ceo surendra kumar
ceo surendra kumar
ଭୁବନେଶ୍ୱର :

ଆଗୁଆ ନିର୍ବାଚନ ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା, ସେଥିରେ ଯବନିକା ପଡିଛି। ୨୦୧୯ରେ ସାଧାରଣ ନିର୍ବାଚନ ହେବା ନେଇ ସ୍ପଷ୍ଟ ହୋଇଯାଇଛି।

ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୋଟର ତାଲିକା ସଂଶୋଧନ ନେଇ ଦିନ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଭୋଟର ଚିଠା ତାଲିକା ପ୍ରକାଶ କରାଯିବ । ସେହିଦିନ ଠାରୁ ପ୍ରାୟ ମାସେ କାଳ ଅର୍ଥାତ୍ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସଂଶୋଧନ ଦାବି କରିହେବ । ୩୦ ନଭେମ୍ବର ସୁଦ୍ଧା ଦାବି ଓ ଅଭିଯୋଗର ଫଇସଲା ହେବା ପରେ ୨୦୧୯ ଜାନୁଆରି ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏହା ପରେ ନିର୍ବାଚନ ତାରିଖ ଧାର୍ଯ୍ୟ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୁରେନ୍ଦ୍ର କୁମାର।

୨୦୧୯ ନିର୍ବାଚନରେ ରାଜ୍ୟରେ ପ୍ରଥମ ଥର ପାଇଁ ବ୍ୟବହୃତ ହେବ ଭିଭିପିଏଟି ମେସିନ। ଆଗାମୀ ନିର୍ବାଚନରେ ରାଜ୍ୟକୁ କେନ୍ଦ୍ର ନିର୍ବାଚନ ଆୟୋଗ ୯୬ ହଜାର ଭିଭିପିଏଟି ଯୋଗାଇଦେବେ। ଭିଭିପିଏଟି ମେସିନରେ ଭୋଟରମାନଙ୍କୁ ଦେଖିବା ପାଇଁ ଏକ ସ୍ଥାନ (ଝରକା) ଯୋଗାଇ ଦିଆଯାଇଛି। ଭୋଟ ଦେଲା ପରେ ଭୋଟରମାନେ ଏହି ଝରକାରେ ୭ ସେକେଣ୍ଡ ପାଇଁ, ଯେଉଁ ପ୍ରାର୍ଥୀଙ୍କୁ ସେ ଭୋଟ ଦେଇଛନ୍ତି ସେହି ପ୍ରାର୍ଥୀଙ୍କର କ୍ରମିକ ସଂଖ୍ୟା, ତାଙ୍କର ନାମ, କ୍ରମିକ ସଂଖ୍ୟା ଏବଂ ତାଙ୍କର ନିର୍ବାଚନ ଚିହ୍ନ ଦେଖିପାରିବେ । ଭିଭିପିଏଟିରର କାର୍ଯ୍ୟଶୈଳୀ ନେଇ ବୁଥ୍‌ ସ୍ତରରେ ଲୋକଙ୍କୁ ସଚେତନ କରାଯିବ ।

ଅପରପକ୍ଷରେ ନିର୍ବାଚନ ପାଇଁ ୬ଟି ରାଜ୍ୟରୁ ଇଭିଏମ ମେସିନ୍‌ ଅଣାଯିବ । ଏହି ଇଭିଏମ ଗୁଡିକ ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିବ। ସେହିପରି ଚଳିତ ଥର ସବୁ ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କ ପାଇଁ ‘ସୁଗମ ମତଦାନ’ ବ୍ୟବସ୍ଥା ରହିଛି। ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ ଓ ହ୍ୱିଲ୍‌ ଚେୟାର ବ୍ୟବସ୍ଥା କରାଯିବା ବେଳେ ସହାୟତା ପାଇଁ ରହିବେ ଏନଏସଏସ, ସ୍କାଉଟ୍‌ ଓ ଗାଇଡ୍‌ ସ୍ୱେଚ୍ଛାସେବୀ ମଧ୍ୟ ରହିବେ।

ସେହିପରି ନିର୍ବାଚନ ସମ୍ପର୍କିତ ସବୁ ପଦବୀ ପୂରଣ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ୨ ଜଣ ଆଡିସିନାଲ ସିଇଓ, ଜଣେ ସିଇଓ, ୨ ଜଣ ଡେପୁଟି ସିଇଓଙ୍କୁ ନିୟୋଜିତ କରିବା ପାଇଁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା କଥା କୁହାଯାଇଛି।

ସୂଚିତ କରାଯାଇପାରେ କି ବିଗତ ୨୦୧୮ ସଂଶୋଧନ ଅନୁଯାୟୀ ସମଗ୍ର ରାଜ୍ୟରେ ୩, ୧୨, ୫୭, ୮୦୩ ସଂଖ୍ୟକ ମତଦାତା ଥିଲେ। ପୁନଶ୍ଚ ମତଦାନ କେନ୍ଦ୍ର ସଂଖ୍ୟା ୩୫,୮୯୬ ଥିଲା। ମତଦାନ ସମୀକରଣ ମାଧ୍ୟମରେ ଚଳିତବର୍ଷ ଆଉ ୧୮୦୦-୨୦୦୦ ଗୋଟି ନୂତ ମତଦାନ କେନ୍ଦ୍ର ଭୋଟର ମାନଙ୍କ ସୁବିଧା ନିମନ୍ତେ  ସୃଷ୍ଟି କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି ।