ନୂଆଦିଲ୍ଲୀ : ଗୁରୁବାର ଫିନଲାଣ୍ଡରେ ଭାରତର ଧାବିକା ହିମା ଦାସ ମହିଳା ୪୦୦ ମିଟରରେ ସ୍ୱର୍ଣ୍ଣପଦକ ଜିତି ଇତିହାସ ରଚିଛନ୍ତି । ଏଥି ସହିତ ସେ ଏହି ଚାମ୍ପିଅନଶିପରେ ସମସ୍ତ ଆୟୁ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଥିବା ଭାରତର ପ୍ରଥମ ମହିଳା ହୋଇ ପାରିଛନ୍ତି ।
ଟେମ୍ପରେ ଠାରେ ଚାଲିଥିବା ଆଇଏଏଫ ବିଶ୍ୱ ୨୦ ବର୍ଷରୁ କମ ଚାମ୍ପିଅନଶିପ ମହିଳା ୪୦୦ ମିଟରରେ ଆସାମର ଝିଅ ହୀମା ରାଟିନା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ୫୧.୪୬ ସେକେଣ୍ଡରେ ଏହି ସଫଳତା ହାସଲ କରିଛନ୍ତି । ୧୮ ବର୍ଷୀୟ ହିମା ଏହି ସଫଳତା ପାଇଁ ସେ ଜାଭେଲିନ ତାରକା ନିରଜ ଚୋପ୍ରାଙ୍କ କ୍ଲବରେ ସାମିଲ ହୋଇଥିଲେ । ବର୍ଷ ୨୦୧୬ରେ ପୋଲାଣ୍ଡରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ପୁରୁଷ ଜାଭେଲିନରେ ସ୍ୱର୍ଣ୍ଣପଦକ ଜିତିଥିଲେ ।
ହିିମାଙ୍କ ପୂର୍ବରୁ କୌଣସି ଭାରତୀୟ ଦୌଡ଼କୁଦରେ ପଦକ ଜିତିବାର ସୌଭାଗ୍ୟ ଲାଭ କରି ନାହାନ୍ତି । ବର୍ଷ ୨୦୦୨ରେ ସୀମା ପୁନିଆ ଏବଂ ୨୦୦୪ରେ ଜଭଜ୍ୟୋତ ସିଂହ ଢିଲୋ ଡିସକସରେ କାଂସ୍ୟ ପଦକ ଜିତିଥିଲେ । ରୋମାନିଆର ଆନ୍ଦ୍ରିଆ ମିକାଲୋସ (୫୨.୦୭ ସେକେଣ୍ଡ) ରୌପ୍ୟ ଏବଂ ଆମେରିକାର ଟେଲର ମାନସନ (୫୨.୨୮ ସେକେଣ୍ଡ) ଏହି ବର୍ଗରେ କାଂସ୍ୟ ପଦକ ପାଇଥିଲେ ।
ଭାରତର ପାଇଁ ଗୌରବ ଆଣିଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ହିମା ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ବେଳେ ଇଣ୍ଡୋନେସିଆର ଜାକର୍ତ୍ତାରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।