ବିଜୁ ଯୁବବାହିନୀକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

0
424
bjd-bjp-congress-face up
bjd-bjp-congress-face up

ଭୁବନେଶ୍ୱର : ବିଜୁ ଯୁବବାହିନୀକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଯୁବବର୍ଗଙ୍କୁ ମଜବୁତ କରିବା ଉଦ୍ଦେଶ୍ୟରେ ଯୁବବାହିନୀ ଗଠନ କରାଯାଇଥିବା ସରକାର କହୁଥିବା ବେଳେ ବିରୋଧି ଏହାକୁ ରାଜନୀତି ସହ ଯୋଡିଛନ୍ତି । ସରକାରୀ ଅର୍ଥରେ ବିଜେଡି ପାଇଁ ନିର୍ବାଚନ କାର୍ଯ୍ୟରେ ଲାଗିବା ପାଇଁ ଏହି ବାହିନୀ ଗଠନ କରାଯାଇଥିବା ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଗଠନ କରଛନ୍ତି । ସରକାରଙ୍କ ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ବାହିନୀ କାର୍ଯ୍ୟ କରିବ ବୋଲ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେପି ଏହା ଉପରେ କଡା ଆପତି କରିଛି । ନିର୍ବାଚନକୁ ଆଖି ଆଗରେ ରଖି ସରକାର ଏହି ଯୋଜନା କରିଛନ୍ତି । ସରକାରୀ ଅର୍ଥ ଖର୍ଚ୍ଚ କରି ଏହି ବାହିନୀକୁ ବିଜେଡିର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବାକୁ ଗଠନ କରାଯାଇଥିବା ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।

ଯୁବକ ଯୁବତୀଙ୍କ ପାଇଁ କିଛି କରି ନଥିବା ଏହି ସରକାର ନିର୍ବାଚନ ବେଳେ ଏହି ଯୋଜନା କରିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ତ ଆଉ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ମଧ୍ୟ ଅନୁରୂପ ଅଭିଯୋଗ କରିଛି । ଏହି ସରକାରରେ ଯୁବକ ଯୁବତୀମାନଙ୍କୁ ଜିରୋ କରାଯାଇଛି । ଯୁବକମାନଙ୍କୁ ହିରୋ କ’ଣ କରିବେ , ସେମାନଙ୍କୁ ଜିରୋରୁ ଉଠାନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଅନ୍ୟ ପକ୍ଷରେ ବିଜେଡି ଏହାକୁ ଖଣ୍ଡନ କରିଛି । ବିଧାୟକ ଅରୁଣ ସାହୁ ବିରୋଧଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ରାଜ୍ୟ ସରକାର ସବୁ ବର୍ଗର ଲୋକଙ୍କ ପାଇଁ କାମ କରିଆସୁଛନ୍ତି । ଏହି ଯୋଜନା ମଧ୍ୟ ଲୋକଙ୍କ ପାଇଁ କରାଯାଇଛି । ବିରୋଧିଙ୍କ ବିରୋଧ ଚିରାଚରିତ ହୋଇ ଗଲାଣି ବୋଲି ସେ କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର କିଛିଦିନ ପୂର୍ବେ ବିଜୁ ଯୁବ ବାହିନୀ ଗଠନ କରିଛନ୍ତି । ସେଥିପାଇଁ ୪୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ମଧ୍ୟ ଶୁଣାଯାଉଛି ।