ସରକାରଙ୍କ ତାଗିଦ୍ : କ୍ରିୟାଶୀଳ ପ୍ରଶାସନ

0
407
naveen patnaik
naveen patnaik

ଭୁବନେଶ୍ୱର : ସରକାରୀ ଯୋଜନା ଲୋକଙ୍କ ପାଖରେ ପହଂଚାଇବା ଓ ସମସ୍ୟା ତୁରନ୍ତ ଦୁର କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ପରେ ସଜାଗ ହୋଇଉଠିଛି ପ୍ରଶାସନିକ କଳ । ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଲୋକଙ୍କ ମୌଳିକ ସମସ୍ୟା ଜନିତ ପ୍ରସଙ୍ଗ ଉପରେ ଘନଘନ ସମୀକ୍ଷା କରିବା ଓ ଏହାକୁ କାର୍ଯ୍ୟକାରୀ କରିବାକୁ ତାଗିଦ୍ କରିବା ପରେ ତୃଣମୂଳସ୍ତରରେ ପ୍ରଶାସନ କ୍ରିୟାଶୀଳ ହୋଇପଡିଛି ।
ଆସନ୍ତା ବର୍ଷ ନିର୍ବାଚନ ବର୍ଷ ଥିବାରୁ ରାଜ୍ୟରେ ରାଜନୈତିକ ବାତାବରଣ ଉସ୍ମ ରହିଛି । ବିରୋଧିଙ୍କ ଅଭିଯୋଗକୁ ସାମ୍ନା କରିବାକୁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ଲୋକଙ୍କ ସମସ୍ୟା ସହ ସାମିଲ ହେବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ରାଜ୍ୟର ଲୋକଙ୍କ ସମସ୍ୟା ନେଇ ବିରୋଧି ଦଳ ସରକାରଙ୍କୁ ଘେରିବାକୁ ଯେପରି ସୁଯୋଗ ନ ପାଇବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି ।
ଲୋକଙ୍କ ସହ ଯୋଡି ହେବାକୁ ‘ଆମ ଗାଁ ଆମ ଯୋଜନା’ କାର୍ଯ୍ୟକ୍ରମ ଜାରି ରହିଛି । ଏ ତଦ୍ ବ୍ୟତୀତ ବିଭିନ୍ନ ବିଭାଗ ଦ୍ୱାରା ଅନେକ ଜନମଙ୍ଗଳ କାର୍ଯ୍ୟ ଚାଲୁଛି । ଏସବୁକୁ ଠିକଣା ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଯୋଜନା ଯେପରି ଲୋକଙ୍କ ପାଖରେ ପହଂଚିବ, ତାହା ନିଶ୍ଚିତ କରିବାକୁ କୁହାଯାଇଛି ।

ବ୍ଲକସ୍ତରରେ ଏହା କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ଜିଲ୍ଲାସ୍ତରରେ ତଦାରଖ କରାଯାଉଛି । ଲୋକଙ୍କ ପାଖରୁ ମଧ୍ୟ ଅଭିଯୋଗ ଗ୍ରହଣ କରାଯିବା ସହ ତା ଉପରେ ତୁରନ୍ତ ପଦକ୍ଷେପ ନେବକୁ କୁହାଯାଉଛି । ଏସବୁକୁ ରାଜ୍ୟସ୍ତରରେ ମଧ୍ୟ ଦତାରଖ କରାଯାଉଛି । ମୁଖ୍ୟସଚିବ ଘନଘନ ସମୀକ୍ଷା କରୁଛନ୍ତି । ଯୋଜନା ବାବଦରେ ଯାଉଥିବା ଅର୍ଥ ବିନିଯୋଗ ଉପରେ ସେ ଗୁରୁତ୍ୱ ଦେଉଥିବା ଦେଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହା ଉପରେ କଡା ନଜର ରଖିଛି ।  ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି ଠାରୁ ଆରମ୍ଭ କରି ଗ୍ରାମାଂଚଳରେ ଲୋକଙ୍କର ଥିବା ମୌଳିକ ସମସ୍ୟା ଯେପରି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ ହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ପ୍ରଶାସନିକ ଅଧିକାରୀଙ୍କୁ କୁହାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଲୋକଙ୍କ ସମସ୍ୟା ସମାଧାନ ହୋଇଛି କି ନାହିଁ ତଦାରଖ କରିବାକୁ ସଚିବସ୍ତରୀୟ ଅଧିକାରୀ ଗାଁକୁ ଗସ୍ତ କରିବେ । ଲୋକଙ୍କ ସମସ୍ୟା ଶୁଣିବେ । ପ୍ରଶାସନିକ ଅଧିକାରୀ ଯଦି ସମସ୍ୟା ସମାଧାନ ଦିଗରେ ଅଣଦେଖା କରିଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ହେବ ବୋଲି ଜଣାପଡିଛି । ସରକାରଙ୍କ କଡା ଆଭିମୁଖ୍ୟକୁ ଦେଖି ପ୍ରଶାସନିକ କଳ ତତ୍ପର ହୋଇ ଉଠିଛି । ଗାଁ ତଥା ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି । ତୃଣମୂଳ ସ୍ତରରେ ଅଧିକାରୀମାନେ ଏବେ ସକ୍ରିୟ ହୋଇଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଏଭଳି ମନୋବୃତି ରହିଲେ ଲୋକମାନଙ୍କର ଆଉ ସମସ୍ୟା ରହିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।