ଦେଶରେ ତୈଳ ଦର ବୃଦ୍ଧି ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତୈଳ ଉତ୍ପାଦନକାରୀ କମ୍ପାନୀର ଉତ୍ପାଦନ ହ୍ରାସ ପାଉଛି। ଯାହାର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ୁଛି। ଏହି କାରଣରୁ ଲଗାତାର ତୈଳ ଦରରେ ବୃଦ୍ଧି ଘଟୁଛି। ତେବେ ଏହାର ସମାଧାନ ପାଇଁ ଭାରତ ସରକାର କିଛି ନା କିଛି ଚିନ୍ତା କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି। ପ୍ରକାଶ ଯେ, ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୭୫ ଟଙ୍କା ଟପିଛି। ନିୟମିତ ଦର ଯୋଗୁଁ ପେଟ୍ରୋଲ ଦର ଏଭଳି ସ୍ତରରେ ପହଞ୍ଚିଯାଇଛି। ଫଳରେ ଖାଉଟିଙ୍କ ମନରେ ଆସନ୍ତୋଷ ଜାତ ହୋଇଛି। ଚଳିତ ମାସ ୧୩ ତାରିଖରେ ପେଟ୍ରୋଲର ଲିଟର ପିଛା ୭୩ ଟଙ୍କା ୬୪ ପଇସା ଥିଲା। ଏବେ ତାହା ୭୫ ଟଙ୍କା ୬ ପଇସାକୁ ବୃଦ୍ଧି ପାଇଛି। ସେହିପରି ଡିଜେଲ ଲିଟର ପିଛା ୭୨ ଟଙ୍କା ୪୩ ପଇସାରେ ପହଞ୍ଚିଛି।
ଆନ୍ତର୍ଜାତିକ ବଜାରରେ ଅଶୋଧୀତ ତୈଳର ବ୍ୟାରେଲ ପିଛା ଦର ୮୦ ଡଲାରରୁ ଅଧିକ ରହିଛି। ସେହିପରି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୬୮ ଟଙ୍କା ପାଖାପାଖି ରହିଛି। ଏହି ଦୁଇ ପ୍ରମୁଖ କାରଣ ଯୋଗୁଁ ଅଶୋଧିତ ତେଲ ମହଙ୍ଗା ହୋଇଯାଇଛି। ଏହି ପ୍ରଭାବରେ ସ୍ଥାନୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟୁଛି।