ମାଲକାନଗିରି ଜିଲ୍ଲାର ବହୁଚର୍ଚ୍ଚିତ ଗୁରୁପ୍ରିୟା ସେତୁର ଉଦଘାଟନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ୧୮ ପରିବର୍ତ୍ତେ ୧୯ ତାରିଖରେ ସେତୁର ଉଦଘାଟନ ହେବ ବୋଲି ଜଣାପଡ଼ିଛି। ଖରାପ ପାଗ ଯୋଗୁଁ ଉଦଘାଟନ ତାରିଖ ଘୁଞ୍ଚିଥିବା ମାଲକାନଗିରି ବିଧାୟକ ମାନସ ମାଡକାମୀ କହିଛନ୍ତି।
ଜୁଲାଇ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତୁର ଉଦଘାଟନ କରିବେ। ଏଥସହ ମାଲକାନଗିରିରେ ହେଇଥିବା ସାତ ମହଲା ବିଶିଷ୍ଟ ମେଡ଼ିକାଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସେହିଦିନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।
ପ୍ରକାଶ ଥାଉକି, ୯୧୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଗୁରୁପ୍ରିୟା ସେତୁର ନିର୍ମାଣ ଶେଷ ହେବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟକୁ ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ ନିମନ୍ତେ ସେଣ୍ଟର ଫର ରୋଡ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟକୁ ଦାୟିତ୍ୱ ଦିଆଯାଇଥିଲା । ଯାଞ୍ଚକାରୀ ସଂସ୍ଥା ନିର୍ମାଣ କାର୍ୟ୍ୟର ମାନକୁ ପ୍ରମାଣପତ୍ର ଦେଇସାରିଛନ୍ତି । ଏହି ସେତୁ ଉଦଘାଟନ ହେବା ପରେ ଯୋଗାଯୋଗ କ୍ଷେତ୍ରରେ ବିଚ୍ଛିନ୍ନାଞ୍ଚଳର ୧୫୦ ଗ୍ରାମର ପ୍ରାୟ ୩୦ ହଜାର ଗ୍ରାମବାସୀଙ୍କ ସ୍ଥାୟୀ ସମଧାନ ହେବ ।