ଗୋଟିଏ ପରେ ଗୋଟିଏ ବିଭାଗରେ ହୋଇଥିବା କେଳାଙ୍କାରୀ ଖୋଲିବାରେ ଲାଗିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପାରାଦ୍ୱୀପ ବିଧାୟକ ଡା.ଦାମୋଦର ରାଉତ । ପ୍ରଥମେ ଡଙ୍କାରୀ ପାହଡ କେଳାଙ୍କାରୀ, ଚାରାଦୁର୍ନୀତି, ଓମଫେଡ ଜରି କିଣା ଦୁର୍ନୀତି ପରେ ଗତକାଲି ୭୦୦ କୋଟିର ସମବାୟ ଦୁର୍ନୀତି କେଳାଙ୍କାରୀ ଖୋଲିଥିଲେ ଶ୍ରୀ ରାଉତ । ତେବେ ଆଜି ଦାମ ଖୋଲିଛନ୍ତି ସ୍ୱାସ୍ଥ୍ୟବିଭାଗରେ ହୋଇଥିବା କିଛି କାମକୁ ନେଇ ପୂର୍ବତନ ମନ୍ତ୍ରୀ ଓ ବର୍ତମାନର ମନ୍ତ୍ରୀଙ୍କ ସହ କିଛି ନେତାଙ୍କୁ ସେ କରିଛନ୍ତି ପରୋକ୍ଷରେ ଟାର୍ଗେଟ ।
ଆଜି ଏକ ଗଣମାଧ୍ୟମରେ ଶ୍ରୀ ରାଉତ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ବିନାଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି । ମୋତିଲାଲଙ୍କ ଜରିଆରେ ବହୁ କେଳାଙ୍କାରୀ ହୋଇଛି । ମୋତିଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନି । ମନ୍ତ୍ରୀଙ୍କ ଅଜାଣତରେ ପ୍ରଶାସକ ମାନେ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେଉଛନ୍ତି ତାହା ଅମଲାମାନେ ମାନୁନାହାନ୍ତି ବୋଲି ସେ ଏକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଏପରିକି ଗାମା ମେସିନ କିଣା ପ୍ରସଙ୍ଗ ମଧ୍ୟ ସେ ଉଠାଇ ପୁଣିଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଦାମଙ୍କ ମୋତିଲାଲଙ୍କ ପ୍ରସଙ୍ଗ ଖୋଲି ପୁଣିଥରେ ନିଆଁରେ ଘିଅ ଢାଳିଛନ୍ତି ବରିଷ୍ଠ ନେତା ଶ୍ରୀ ରାଉତ । ଏପରିକି ସେତେବେଳେ ମୋତିଲାଲଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ସେତେବେଳର ମନ୍ତ୍ରୀ ତଥା ବର୍ତମାନର ବିଧାୟକ ଅରୁଣ ସାହୁଙ୍କ ସହ ଅନ୍ୟ କିଛି ବିଧାୟକଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଆସିଥିଲା । ପୁଣିଥରେ ମୋତିଲାଲଙ୍କ କଥା ଉଠାଇ ବିଜେଡିକୁ ଅଡୁଆରେ ପକାଇଛନ୍ତି ବିଧାୟକ ଶ୍ରୀ ରାଉତ । ଏକଥା ଏବେ ବିଜେଡି ମହଲରେ ଆଲୋଚନା ଆରମ୍ଭ ହୋଇଗଲାଣୀ ।