ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗ: କେନ୍ଦ୍ର ଆଇନ୍‌ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

0
437
cm naveen patnaik
cm naveen patnaik

ଭୁବନେଶ୍ୱର   : ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ  ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଆଜି ଚିଠି ଲେଖିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ  ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପ୍ରସଙ୍ଗକୁ ନେଇ  ଗୋଟିଚାଳନା କରିଛନ୍ତି।  ସଂସଦ ନିଜର ସ୍ୱତନ୍ତ୍ର କ୍ଷମତାକୁ ଉପଯୋଗ କରି, ହାଇକୋର୍ଟର ଏହି ବେଞ୍ଚ୍‌ ସ୍ଥାପନ ଦିଗରେ ପଦକ୍ଷେପ ନେଉ ବୋଲି ନବୀନ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।

 ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଆଜି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସେ ୨୦୧୩ ସେପ୍ଟେମ୍ବର ୨୮ ଓ ୨୦୧୪ ଫେବୃୟାରୀ ୧୩ ତାରିଖରେ  ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ପ୍ରସଙ୍ଗରେ ଚିଠି ଅନୁରୋଧ କରିଥିଲେ। ସେତେବେଳେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଏହି ବେଞ୍ଚ୍‌ ସ୍ଥାପନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।

ଯଦିଓ ଜଷ୍ଟିସ୍‌ ଯଶବନ୍ତ ସିଂହ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ସର୍ତ୍ତାବଳୀ ଆଧାରରେ ହାଇକୋର୍ଟଠୁ ଦୂରତ୍ୱ ଆଧାରରେ ଏହି ଦୁଇ ଅଞ୍ଚଳରେ ସ୍ଥାୟୀ ବେଞ୍ଚ୍‌ ଗଠନ ସମ୍ଭବ, କିନ୍ତୁ ଜନସଂଖ୍ୟା ଆଧାରରେ ଓଡ଼ିଶାରେ ଗୋଟିଏ ହିଁ ସ୍ଥାୟୀ ବେଞ୍ଚ୍‌ ଗଠନ ହୋଇପାରିବ।

ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନକୁ ନେଇ ପଶ୍ଚିମ ଓଡ଼ିଶାରେ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଥିବା ବେଳେ, ଅଗଷ୍ଟ ୬ ତାରିଖରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ପ୍ରସଙ୍ଗରେ ଆଲୋଚନା କରିଥିଲା।

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ କେନ୍ଦ୍ର ସରକାରଙ୍କୁ ଜଣାଇବାର ଆବଶ୍ୟକତା ଥିବା ମଧ୍ୟ ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ଲିଖିତ ପ୍ରଶ୍ନରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ସ୍ପଷ୍ଟ କରିଥିଲେ।