ଏବେ ରାଜ୍ୟରେ କାର୍ୟ୍ୟରତ ସାମ୍ବାଦିକଙ୍କ ପାଇଁ କେବଳ ଖୁସି ଖବର ହିଁ ଆସୁଛି । ପ୍ରଥମେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯିବା ପରେ ଏବେ ପୁଣି ସେମାନଙ୍କ ପାଇଁ ରାଜ୍ୟ ସରକାର ନୂତନ ଘୋଷଣା କରିଛନ୍ତି ।
ରାଜ୍ୟରେ କାର୍ୟ୍ୟରତ ସାମ୍ବାଦିକଙ୍କ ପାଇଁ ୪ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ଓ ୨ ଲକ୍ଷ ଟଙ୍କାର ବୀମା ରାଶି ଦିଆଯବି । ଯଦି କୌଣସି କ୍ଷେତ୍ରରେ ସ୍ୱାସ୍ଥ୍ୟ ଖର୍ଚ୍ଚ ୨ ଲକ୍ଷ ଟଙ୍କାର ଅଧିକ ହୁଏ, ତେବେ ସ୍ୱାସ୍ଥ୍ୟ ଶିକ୍ଷା ଓ ପ୍ରଶିକ୍ଷମ ନିର୍ଦ୍ଦେଶାଳୟର ଅନୁମତି କ୍ରମେ ଅଧିକ ସହାୟତାର ବ୍ୟବସ୍ଥା କରାଯିବ । ସେହିପରି ଶାରୀରିକ ଅକ୍ଷମ ହେଲେ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ସରକାର ଦେବେ । ଏହା ସହିତ ମୃତ୍ୟୁ ପରେ ପିଲାଙ୍କ ପଢ଼ା ଖର୍ଚ୍ଚ ବାବଦକୁ ସରକାର ଟଙ୍କା ଯୋଗାଇ ଦେବେ । ଦଶମ ଶ୍ରେଣୀ ଓ ଉଚ୍ଚ ଶିକ୍ଷା ପାଇଁ ମାସିକ ଯଥାକ୍ରମେ ୧୫୦୦ ଓ ୨୫୦୦ ଟଙ୍କା ଆର୍ଥିକ ସହାୟତା ମିଳିବ ।
ବାସଗୃହ ନିର୍ମାଣ ପାଇଁ ୩ ପ୍ରତିଶତ ସୁଧ ଛାଡ଼ରେ ୨୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମିଳିବ । ସେହିପରି ଦୁଇ ଚକିଆ ଓ ଚାରି ଚକିଆ ଯାନ କିଣିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଚାରି ଚିକିଆ ପାଇଁ ୪ ଲକ୍ଷ ଓ ଦୁଇ ଚକିଆ ଗାଡ଼ି ପାଇଁ ୫୦ ହଜାର ଟଙ୍କା ୩ ପ୍ରତିଶତ ସୁଧ ଛାଡ଼ରେ ଋଣ ମିଳିବ ।
ଏହା ସହିତ ୨୫ ରୁ ୩୫ ଜଣ ସାମ୍ବାଦିକଙ୍କୁ ଆଇ.ଆଇ.ଏମ୍.ସି ପରି ସଂସ୍ଥା ଗୁଡ଼ିକରେ ରାଜ୍ୟ ଭିତରେ ୩ ଦିନିଆ, ଏକ ସପ୍ତାହ କିମ୍ବା ଦୁଇ ସପ୍ତାହ ପର୍ୟ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ । ୫ ବର୍ଷିଆ ବ୍ଲକ୍ ପିରିୟଡ଼ ମଧ୍ୟରେ ଜଣଙ୍କ ପିଚ୍ଛା ୧୦ ହଜାର ଟଙ୍କା ଖର୍ଚ୍ଚ ରାଜ୍ୟ ସରକାର ବହନ କରତବେ ।