ଲାଗିବ ଲାଇଟନିଂ ସେନସର : ୪୫ ମିନିଟ ପୂର୍ବରୁ ମିଳିବ ସୂଚନା

0
237
lightning censor
lightning censor
ଭୁବନେଶ୍ୱର : ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାରେ ଲାଇଟନିଂ ସେନସର ଲାଗିବ । ୪୫ ମିନିଟ୍ ପୂର୍ବରୁ ମିଳିବ ବଜ୍ରପାତର ସୂଚନା। ମୋବାଇଲ ଯୋଗେ ଲୋକମାନେ ବଜ୍ରପାତର ସୂଚନା ପାଇପାରିବେ ।

ଆଜି ରାଜ୍ୟ ସଚିବାଳୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା(ଓସଡମା) ଓ ଆମେରିକୀୟ ସଂସ୍ଥା ଆର୍ଥ ନେଟୱାର୍କ ଦ୍ୱାରା ଏମଓୟୁ ସ୍ୱାକ୍ଷରିତ ହୋଇଛି। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିରେ ଏହି ବୁଝାମଣା ହୋଇଥିବା ସେ ନିଜେ ସୂଚନା ଦେଇଛନ୍ତି।

ପୂର୍ବରୁ ନିର୍ଦ୍ଧିଷ୍ଟ ଜିଲ୍ଲାରେ ବଜ୍ରପାତ ହେବା ନେଇ ସୂଚନା ମିଳୁଥିବା ବେଳେ ଏହି ବୁଝାମଣା ପରେ ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାରେ ଲାଇଟନିଂ ସେନସର ଲାଗିବ । ବଜ୍ରପାତ ପୂର୍ବରୁ ଏହି ସେନସର ଆଗୁଆ ସୂଚନା ପ୍ରଦାନ କରିପାରିବ । ଫଳରେ ଧନ ଓ ଜୀବନକୁ ସୁରକ୍ଷିତ କରାଯାଇପାରିବ।

ସୂଚନାଯୋଗ୍ୟ, ଆର୍ଥ ନେଟୱାର୍କସ ସଂସ୍ଥା ବିଭିନ୍ନ ଦେଶରେ ବଜ୍ରପାତ, ଗ୍ରୀନ୍ ହାଉସ ଗ୍ୟାସ ଏବଂ ପାଣିପାଗ ସମ୍ପର୍କିତ ସେବା ପ୍ରଦାନକାରୀ ଭାବେ କାର୍ଯ୍ୟ କରୁଛି । ଏହି ସଂସ୍ଥା ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ, କର୍ଣ୍ଣାଟକ ଆଦି ରାଜ୍ୟରେ ସୂଚାରୁରୂପେ କାର୍ଯ୍ୟ କରୁଛି । ରାଜ୍ୟରେ ପ୍ରତିବର୍ଷ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବଢି ବଢି ଚାଲିଥିବାବେଳେ ଆଗୁଆ ସୂଚନା ଅନେକାଂଶରେ ଧନଜୀବନକୁ ସୁରକ୍ଷିତ କରିପାରିବ । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସମୟ ମିଳିବ । କେବଳ ସେତିକି ନୁହେଁ ଅଟ୍ଟାଳିକା, ମନ୍ଦିର, ବାତ୍ୟା ଆଶ୍ରୟ ସ୍ଥଳୀରେ ଏହି ସଂସ୍ଥା ଲାଇଟନିଂ ଆରେଷ୍ଟର ଲଗାଇବାର ପଦକ୍ଷେପ ନେବ ।