ଶ୍ରୀମନ୍ଦିରରେ ସ୍ୱାଭାବିକ ଚାଲିଛି ଧାଡି ଦର୍ଶନ

0
451
line system in sri mandir normal
line system in sri mandir normal
ପୁରୀ :  ଆଜି ବ୍ୟବସ୍ଥିତ ଏବଂ ଶୃଂଖଳିତ ଭାବରେ ଶ୍ରୀମନ୍ଦିରରେ  ସ୍ୱାଭାବିକ ଚାଲିଛି ଧାଡି ଦର୍ଶନ। ଧାଡି ଦର୍ଶନକୁ ବିରୋଧ କରି ଶ୍ରୀମନ୍ଦିର ନିକଟରେ ଭଂଗାରୁଜା ସହ ପୋଡାଜଳା କରିଥିବା ଅଭିଯୋଗରେ ୨୦ ଜଣଙ୍କୁ ଗିରଫ କରାଯାଇଛି ।

ପୁରୀ ବନ୍ଦ ବେଳେ ଶ୍ରୀମନ୍ଦିର ନିକଟରେ ହୋଇଥିବା ହିଂସାକାଣ୍ଡ ଓ ପୋଡାଜଳା ଓଡିଆଙ୍କ ହୃଦୟକୁ ଗଭୀର ଆଘାତ ଦେଇଛି । ଏହି ଘଟଣାରେ ସଂପୃକ୍ତ ଥିବା ୨୦ ଜଣଙ୍କୁ ଗିରଫ କରି ଟାଉନ ଥାନା ପୋଲିସ  କୋର୍ଟ ଚାଲାଣ କରିଛି । ଧାଡି ଦର୍ଶନକୁ ବିରୋଧ କରି ଶ୍ରୀମନ୍ଦିର ନିକଟରେ ଭଂଗାରୁଜା ସହ ପୋଡାଜଳା କରିଥିବା ଅଭିଯୋଗରେ ପ୍ରାୟ ୬୫ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଗତକାଲି ୨୦ ଜଣଙ୍କୁ ଗିରଫ କରାଯାଇଥିଲା ।

ଗତକାଲି ପୋଲିସ ମହାନିର୍ଦ୍ଦେଶକ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ପୁରୀରେ ପହଂଚି ସ୍ଥିତିର ସମୀକ୍ଷା କରିବା ସହ ବିଶୃଂଖଳାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଦଙ୍ଗାରେ ଟଙ୍କା ପ୍ରୋତ୍ସାହନ ଦେଇ କିଛି ଅସାମାଜିକ ଲୋକଙ୍କୁ ନିଯୁକ୍ତ କରାଯାଇଥିବା ନେଇ ପୋଲିସ  ସୁରାକ ପାଇଛି । ଏ ସମ୍ବନ୍ଧରେ ଅଧିକ ତଥ୍ୟ ଆଦାୟ ପାଇଁ ସାଦା ପୋଷାକଧାରୀ ଗୁଇନ୍ଦା ପୋଲିସଙ୍କୁ ନିୟୋଜିତ କରାଯାଇଛି । ତେବେ ଆଗକୁ ଗିରଫଦାରୀ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି ।

ତୁମୁଳକାଣ୍ଡ ପରେ ଗତକାଲିଠାରୁ ପୁରୀ ସହରରେ ସ୍ଥିତି ସ୍ୱାଭାବିକ ହୋଇଛି । ସ୍ଥାନୀୟ ଲୋକମାନେ ପରିଚୟ ପତ୍ର ଦେଖାଇ ସମସ୍ତ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ଆଜି ବ୍ୟବସ୍ଥିତ ଏବଂ ଶୃଂଖଳିତ ଭାବରେ ଧାଡି ଦର୍ଶନ ଚାଲିଛି ।