ମାଫିଆ-ରାଜସ୍ୱ ଅଧିକାରୀଙ୍କ ମଧୁଚନ୍ଦ୍ରିକା: ବେଆଇନ ବାଲିଘାଟ ନେଲା ନୀରିହ ଜୀବନ

0
437
sand mining
sand mining

ଯାଜପୁର : ବର୍ଷ ବର୍ଷ ଧରି ଚାଲିଛି ବେଆଇନ ବାଲିଘାଟ । ହେଉଛି ରାଜସ୍ୱ ଲୁଟ । ମାଲାମାଲ ହେଉଛନ୍ତି ବାଲି ମାଫିଆ ଓ ସରକାରଙ୍କ ତହବିଲରୁ ଦରମା ପାଉଥିବା କିଛି ରାଜସ୍ୱ ଅଧିକାରୀ । ଅନ୍ୟପକ୍ଷରେ ବେଆଇନ ବାଲିଘାଟରେ ଯାଉଛି ଲୋକଙ୍କ ଜୀବନ ।

ଏଭଳି ଘଟଣା କେଉଁ ଦୁରଦୁରାନ୍ତରେ ନୁହେଁ ବରଂ ଘଟିଛି ରାଜଧାନୀଠୁ ମାତ୍ର ଶହେ କିଲୋମିଟର ଦୁର ଯାଜପୁର ଜିଲ୍ଲାରେ । ରାଜ୍ୟର ଶିଳ୍ପ ରାଜଧାନୀ କୁହାଯାଉଥିବା କଳିଙ୍ଗନଗର ନିକଟରେ ବହିଯାଇଥିବା ବ୍ରାହ୍ମଣୀ ନଦୀରୁ ଚାଲିଛି ବାଲି ଲୁଟ ।  ଧର୍ମଶଳା ତହସିଲ ଅନ୍ତର୍ଗତ ବଳରାମପୁର ରାଜସ୍ୱ ସର୍କଲ-୧ର ଜେନାପୁର ଥାନା ଅଧିନସ୍ଥ ଚଉଷଠିପଡା ନଟିଲୋ ବାଲିଘାଟ ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲୁଅଛି । ସେହି ବାଲିଘାଟରୁ କୌଣସି ସରକାରୀ ଡିପୋଜିଟ ହୋଇନାହିଁ ।

ଗାଧୁଆ ତୁଠ ନିକଟରେ ଅବାଧରେ ମେସିନ ସାହାଯ୍ୟରେ ଶହ ଶହ ଟ୍ରିପ ବାଲି ଉଠାଯାଉଛି । ଫଳରେ ସୃଷ୍ଟି ହେଉଛି ବଡ ବଡ ଖାଲ । ଯାହା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଅନେକ ସମୟରେ ଲୋକଙ୍କ ବହୁ ମୂଲ୍ୟ ଜୀବନ ଯାଉଛି । ଗତ ୨୪ ତାରିଖରେ ତରଣୀସେନ ସାହୁଙ୍କ ପୁତ୍ର ବବୁଲ ସାହୁଙ୍କ ମୃତ ଘଟଣା । ଗାଧୋଇବାକୁ ଯାଇ ବବୁଲ ବେଆଇନ ବାଲିଘାଟରେ ବୁଡି ମୃତ୍ୟୁ ବରଣ କରିଥିଲେ । ବାଲି ମାଫିଆ ମାନେ କମ୍ପାନୀକୁ ବେଆଇନ ଭାବେ ବାଲି ଚାଲାଣ କରି ମାଲାମାଲ ହେଉଥିବା ବେଳେ ସରକାରଙ୍କୁ ତ ଠକୁଛନ୍ତି, ତାଛଡା ସାଧାରଣ ଜନତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି ।

ବାଲି ମାଫିଆ ଓ ରାଜସ୍ୱ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ସରକାର ରାଜସ୍ୱ ହରାଉଥିବାବେଳେ ମାଫିଆ ମାଲାମାଲ ହେଉଥିବା ଅଭିଯୋଗ ହେଉଛି । ଏ ବାବଦରେ ସ୍ଥାନୀୟ ଜନସାଧାରଣ ବାରମ୍ବାର ରାଜସ୍ୱ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କଲେ ନାହିଁ । ଫଳରେ ଜଣେ ନିରିହ ଛାତ୍ର ଜୀବନ ଗଲା । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି । ରାଜସ୍ୱ ଅଧିକାରୀଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ବଢ଼ୁଛି । ବଢ଼ୁଥିବା ଜନଅସନ୍ତୋଷ ଆଗାମୀ ଦିନରେ ତିବ୍ର ରୂପ ନେବାର ଆଶଙ୍କା ଦେଖାଦେଇଛି । ବେଳୁଥାଉ ସରକାର ଏ ଦିଗରେ ସଚେତନ ହୁଅନ୍ତୁ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଭଳି ସମ୍ବେଦନ ଶୀଳ ଘଟଣାକୁ ଗୁରୁତର ସହ ବିଚାର କରି ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି । ନ ହେଲେ ଆଗାମୀ ଦିନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ସରକାର ଦାୟୀ ରହିବେ ବୋଲି ସାଧାରଣ ଲୋକେ କହିଛନ୍ତି ।