ନିର୍ବାଚନ ମୁହାଁ ପ୍ରମୁଖ ରାଜନୈତିକ ଦଳ

0
459
election mode
election mode

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନ ସମୟ ଉପରେ ସମସ୍ତଙ୍କ ନଜର ରହୁଥିବାବେଳେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ କିନ୍ତୁ ନିର୍ବାଚନ ମୁହାଁ ହୋଇଥିବା ପରି ଜଣାପଡୁଛି । ନିଜ ନିଜ ଦଳର ସାଂଗଠନିକ ସ୍ଥିତି ସୁଦୃଢ଼ କରିବାକୁ ତୃଣମୂଳସ୍ତରରୁ ଆରମ୍ଭ କରି ଦେଇଛନ୍ତି କାର୍ଯ୍ୟକ୍ରମ ।
ନିର୍ବାଚନ ଠିକଣା ସମୟରେ ହେବ କିମ୍ବା ଆଗୁଆ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ନିର୍ବାଚନ କମିଶନଙ୍କ ପକ୍ଷରୁ ଆଗୁଆ ନିର୍ବାଚନ ନେଇ କୌଣସି ସୂଚନା ଦିଆଯାଇ ନଥିଲେ ମଧ୍ୟ ରାଜନୈତିକ ଦଳଗୁଡିକ ମଧ୍ୟରେ ଏ ନେି ଆଶଙ୍କା ସୃଷ୍ଟି ହୋଇଛି । ସେଥିପାଇଁ ରାଜ୍ୟର ବିଜେଡି, କଂଗ୍ରେସ ଓ ବିଜେପି ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି । ବିଜେଡି ପକ୍ଷରୁ ନେତା ଓ ମନ୍ତ୍ରୀ ଏବେ ଗାଁ ମୁହାଁ ହୋଇଛନ୍ତି ।

ସରକାରଙ୍କ ଯୋଜନା ସଂପର୍କରେ ଲୋକଙ୍କୁ ଜଣାଇବା ସହ ସେମାନଙ୍କର ସମସ୍ୟା ସମାଧାନ ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ନେତାଙ୍କୁ କୁହାଯାଇଛି । ସରକାରୀଭାବେ ପ୍ରଶାସନକୁ କ୍ରିୟାଶୀଳ କରାଯାଇଛି । ଆମ ଗାଁ ଆମ ବିକାଶ ଭିଳି ଅନେକ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି । ସିଧା ସଳଖ ଲୋକଙ୍କ ସହ ଯୋଡି ହେବାକୁ ଚେଷ୍ଟା ଜାରି ରହିଛି । ଉଭୟ ସରକାରୀ ଓ ଦଳୀୟ ସାଂଗଠନିକ କାର୍ଯ୍ୟକୁ ବିଜେଡି ପକ୍ଷରୁ ତ୍ୱରାନ୍ୱିତ କରାଯାଇଥିବା ଜଣେ ବରିଷ୍ଠ ନେତା କହିଛନ୍ତି । ବିଜେପି ପକ୍ଷରୁ ମଧ୍ୟ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଶେଷ କରି ବୁଥସ୍ତରରୁ ସାଂଗଠନିକ ସ୍ଥିତି ମଜବୁତ କରିବାକୁ ଦଳ ପକ୍ଷରୁ ପ୍ରୟାସ ଚାଲିଛି ।

ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ରୀୟ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରିିବା ପାଇଁ ବିଜେପିର ତଳସ୍ତରୀୟ କର୍ମୀଙ୍କୁ ତାଲିମ ଦିଆଯାଇଥିବା ଜଣାପଡିଛି । କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ରାଜ୍ୟ ବିଜେପିକୁ ମଜବୁତ କରିବାକୁ ଘନଘନ ଓଡିଶା ଗସ୍ତ କରୁଛନ୍ତି । କେତେ ସଫଳ ହେବ ବିଜେପି ତାହା ସମୟ କହିବ କିନ୍ତୁ ସାଂଗଠନିକ ସ୍ଥିତି ସୁଦୃଢ଼ କରିବାକୁ ଦଳର ପ୍ରୟାସକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ବିଜେଡି ଓ ବିଜେପିର ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଟିକେ ବିଳମ୍ବରେ ହେଲେ ମଧ୍ୟ ଅଂଟା ଭିଡୁଛି କଂଗ୍ରେସ । ଦଳର କର୍ମକର୍ତାଙ୍କୁ ସଂଗଠିତ କରିବା ପାଇଁ ଦଳ ଆଗୁଆ ଟିକେଟ ବଂଟନ କରିବାକୁ ଯୋଜନା ରଖିଛି । କଂଗ୍ରେସର ଅନ୍ତଃ କନ୍ଦଳ ଦଳ ପାଇଁ ଏକ ବଡ ସମସ୍ୟା ରହୁଥିବା ବେଳେ ଏହାକୁ କିପରି ନିୟନ୍ତ୍ରଣ କରି ସଫଳତା ପାଇବ ତାହା ଉପରେ ସମସ୍ତଙ୍କ ନଜର ଥିବା ଆଲୋଚନା ହେଉଛି ।