ଭୁବନେଶ୍ୱର : ଭୁବନେଶ୍ୱରଠାରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବ । ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କନକ୍ଲେଭରେ ବାୟୋଟେକନୋଲୋଜି, ଇଏସଡିଏମ୍, ଫୁଡ଼୍ ପ୍ରୋସେସିଂ, ହେଲଥ କେୟାର, ପୁଞ୍ଜି ନିବେଶ, ଟେକ୍ସଟାଇଏ, ଟୁରିଜିମ ଏବଂ ମହିଳା ସଶକ୍ତକରଣ ଜନିତ ନୀତି ନିର୍ଦ୍ଧାରଣ ଉପରେ ଆଲୋଚନା କରିବାରେ ଗୁରୁତ୍ୱ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।
ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକରେ ସେ କହିଥିଲେ ଯେ, ଓଡ଼ିଶା ବର୍ତମାନ ପୁଞ୍ଜିନିବେଶକାରୀ ମାନଙ୍କର ଏକ ଗନ୍ତବ୍ୟସ୍ଥଳ ହୋଇଛି । ଏଠାରେ ସୁସ୍ଥ ବ୍ୟବସାୟିକ ପରିବେଶ ହେଉଛି ଏହାର ମୁଖ୍ୟ କାରଣ । ଅନ୍ୟପକ୍ଷରେ ପୁଞ୍ଜି ନିବେଶ ଯୋଗାଡ଼ କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।
ଏହି ବୈଠକରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ, ପ୍ରମୁଖ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଏବଂ ସଚିବ ମାନେ ଉପସ୍ଥିତ ଥିଲେ । ବୈଠକ ପରେ ଶିଳ୍ପ ସଚିବ ସଞ୍ଜିବ ଚୋପ୍ରା କହିଥିଲେ ଯେ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ହେଉଥିବା ପୁଞ୍ଜି ନିବେଶ ଲାଗି ଶିଳ୍ପପତିମାନଙ୍କୁ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏକ ଟିମ୍ ଖୁବ୍ ଶୀଘ୍ର ଚୀନ, ଜାପାନ ଏବଂ କୋରିଆକୁ ଗସ୍ତ କରିବେ ।