ମାଲକାନଗିରି : ମାଓବାଦୀମାନେ ଗାଁ ମୁଖିଆଙ୍କୁ ଗୁଳିମାଡ କରିଛନ୍ତି । ମାଓବାଦୀଙ୍କ ବିରୋଧରେ ସ୍ୱର ଉତୋଳନ କରୁଥିବା ଅଭିଯୋଗରେ ମାଓବାଦୀମାନେ ଏହି ଗୁଳିମାଡ କରିଥିବା ସନ୍ଦେହ କରାଯାଉଛି।
ମାଓଗଡ ମାଲକାନଗିରିରେ ପୁଣି ଦେଖିବାକୁ ମିଳିଛି ମାଓ ବର୍ବରତା। ଗତକାଲି ବିଳମ୍ବିତ ରାତିରେ ପଡିଆ ଥାନାର ସିଲାକୁଟା ଗାଁରେ ଗାଁ ମୁଖିଆ ମଙ୍ଗୁଡୁ ୱାଞ୍ଜାମୀ(୪୫)ଙ୍କୁ ମାଓବାଦୀମାନେ ଗୁଳିମାଡ କରିଛନ୍ତି । ମଙ୍ଗୁଡୁର ଜଂଘରେ ଗୁଳି ବାଜିଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି।
ରିପୋର୍ଟ ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପ୍ରାୟ ୧୦ରୁ ୧୫ ମାଓବାଦୀ ମଙ୍ଗୁଳୁର ଘରେ ପଶି ତା’ ଉପରକୁ ଗୁଳିମାଡ କରିଥିଲେ। ମାଓବାଦୀଙ୍କ ବିରୋଧରେ ସ୍ୱର ଉତୋଳନ କରି ଲୋକଙ୍କୁ ତାଙ୍କ ବିରୋଧରେ ସଚେତନ କରୁଥିବା ଅଭିଯୋଗରେ ମାଓବାଦୀମାନେ ଏହି ଗୁଳିମାଡ କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଗୁଳି ଓ ଖାକା ପୋଲିସ ଜବତ କରିଛି ।
ଆକ୍ରମଣର ଶିକାର ହୋଇଥିବା ମଙ୍ଗୁଳୁ ପୂର୍ବରୁ ମାଓ ସଂଗଠନ ସହ ସଂପୃକ୍ତ ରହିଥିବାବେଳେ କିଛି ଦିନ ପୂର୍ବରୁ ଜୀବନର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ।