ନୂଆଦିଲ୍ଲୀ : ଧାନ ସହିତ ୧୪ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି ମୋଦୀ ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ବଢାଯାଇଛି। ସହାୟକ ମୂଲ୍ୟ ବୃଦ୍ଧି ଫଳରେ ସରକାରଙ୍କ ଉପରେ ୧୫୦୦୦ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝଭାର ପଡ଼ିବ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବଜେଟ୍ ଘୋଷଣାକୁ କାର୍ୟ୍ୟକାରୀ କରି ମୋଦୀ ସରକାର ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି। କ୍ୟାବିନେଟର ବୈଠକରେ କୃଷକଙ୍କ ହିତରେ ବଡ଼ ନିଷ୍ପତ୍ତି ନେଇ ସରକାର ୧୪ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। କେନ୍ଦ୍ର ଧାନର ସମର୍ଥନ ମୂଲ୍ୟରେ ୨୦୦ ଟଙ୍କା ବଢାଇଛନ୍ତି। ଆଜି କ୍ୟାବିନେଟ୍ ବୈଠକରେ ସରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଗତ ୧୦ ବର୍ଷରେ ଫସଲରେ ଏହା ସବୁଠୁ ସର୍ବାଧିକ ବୃଦ୍ଧି ହୋଇଛି।
କ୍ୟାବିନେଟ୍ ନିଷ୍ପତ୍ତିର ସୂଚନା ଦେଇ ସ୍ଵରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ବଢାଯାଇ କ୍ଵିଣ୍ଟାଲ ପ୍ରତି ୧୭୫୦ ଟଙ୍କା କରାଯାଇଛି। ଯାହା ପୂର୍ବରୁ ୧୫୫୦ ଟଙ୍କା ଥିଲା। ଏ ଗ୍ରେଡ ଧାନରେ ୧୬୦ ଟଙ୍କା ବୃଦ୍ଧି କରାଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଫଳରେ ସରକାରଙ୍କ ଉପରେ ୧୫୦୦୦ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝଭାର ପଡ଼ିବ।