କଂଗ୍ରେସ ଛାଡିବେ କୋରାପୁଟର ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆ । ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ତାଙ୍କ ବିରୋଧରେ ଏବେ କୋରାପୁଟ କଂଗ୍ରେସର ଷଡଯନ୍ତ୍ର ଚାଲିଥିବା ସେ ପୂର୍ବରୁ ଅଭିଯୋଗ କରିଛନ୍ତି । ଏପରିକି କିଛି ସଂସ୍ଥାକୁ ଲଗାଇ ତାଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ଏପରିକି ପିସିସି ସଭାପତିଙ୍କ କୋରାପୁଟ ଗସ୍ତ ସମୟ ମଧ୍ୟରେ ଦଳର ଅଧିକାଂଶ ନେତାଙ୍କ ସହ ସାମାଜିକ ସଙ୍ଗଠନର ସଭ୍ୟ ମାନେ ଏ ନେଇ ସ୍ମାରକପତ୍ର ଦେଇଥିଲେ । ଦଳର ଅଧିକାଂଶ ନେତାମାନେ ମଧ୍ୟ ଗଣମାଧ୍ୟମରେ ତାଙ୍କ ବିରୋଧରେ ବୟାନବାଜି ଦେଉଛନ୍ତି । ଏନେଇ ସେ ଦଳର ମୁଖିଆଙ୍କୁ ଜଣାଇଥିଲେ ମଧ୍ୟ ଦଳର ନେତାମାନେ କୌଣସି ପଦକ୍ଷେପ ନନେବାରୁ ସେ ଦଳ ଛାଡିବେ ବୋଲି ତାଙ୍କର ସମର୍ଥକ ମାନେ କହି ବୁଲୁଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ପିସିସି ମୁଖିଆଙ୍କ ଅତ୍ୟନ୍ତ ପାଖଲୋକ । ବିଧାୟକ ଶ୍ରୀ ଶଗରିଆ ପ୍ରସାଦ ହରିଚନ୍ଦନ ଓ ଜେନା ଶିବିରର ପାଖଲୋକ ହୋଇଥିବା ବେଳେ ଏହି ଦୁଇନେତାଙ୍କ ମଧ୍ୟରେ ଦଳ ଭିତରେ ଆରମ୍ଭ ହୋଇଥିବା ଶୀତଳଯୁଦ୍ଧ ଏବେ ଉଗ୍ର ରୂପ ଧାରଣ କଲାଣୀ । ଏପରିକି ଜିଲା କଂଗ୍ରେସର ଅଧିକାଂଶ ନେତା ମଧ୍ୟ ଏବେ ଶଗରିଆଙ୍କୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି ।