ଏସ୍‌ସିବିରେ ନିର୍ମିତ ହେବ ମଡୁଲାର ଓଟି ଓ ଆଇସିୟୁ

0
388
scb medical
scb medical

କଟକ : ଏସ୍‌ସିବିରେ  ନିର୍ମିତ ହେବ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟରରେ ମଡୁଲାର ଓଟି । ଜାତୀୟ ପ୍ରିଭେନସନ୍‌ ଏଣ୍ଡ ବର୍ଣ୍ଣ ଇନ୍‌ଜୁରିକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ଲାଷ୍ଟିକ୍‌ ସର୍ଜରୀ ଓ ବର୍ଣ୍ଣ ୟୁନିଟ୍‌ରେ ସ୍ୱତନ୍ତ୍ର ଆଇସିୟୁ ନଥିବାରୁ ସେଥିରେ ମଧ୍ୟ ତିନୋଟି ଆଇସିୟୁ ନିର୍ମିତ ହେବ।

ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ବର୍ଣ୍ଣ କେୟାର ୟୁନିଟ୍‌ରେ ନିର୍ମିତ ହେବ ବିଦେଶୀ ଜ୍ଞାନକୈଶଳରେ ଅତ୍ୟାଧୁନିକ ଅସ୍ତ୍ରୋପଚାର ଗୃହ ଓ ଆଇସିୟୁ। ୧ କୋଟି ୭୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁଥିବା ଏହି ଅତ୍ୟାଧୁନିକ ଗୃହ ଓଡିଶାରେ ପ୍ରଥମ ବୋଲି କୁହାଯାଉଛି। ଆଜି ଏନେଇ ଭୂମି ପୂଜନ ସହ ଫଳକ ଉନ୍ମୋଚନ କାର୍ଯ୍ୟକ୍ରମରେ ଡ଼ିନ୍‌ ତଥା ପ୍ରିନସ୍‌ପାଲ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ, ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା, ରାଜ୍ୟ ନୋଡାଲ ଅଫିସର ଟ୍ରମା ଓ ବର୍ଣ୍ଣ ତଥା ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ, ଏଣ୍ଡୋକ୍ରାଇନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନୁଜ କୁମାର ବଳିୟାରସିଂ, ନେଫ୍ରୋଲୋଜିର ବିଭାଗୀୟ ମୁଖ୍ୟ ବି.କେ ସାହୁ, ଏସ୍‌ସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଆକାଉଣ୍ଟସ୍‌ ଅଫିସର ଶେଖ୍‌.ଏ ହୁଡା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, କଟକ ବଡମେଡିକାଲରେ ବର୍ଷକୁ ୪ ହଜାର ପୋଡି ଯାଇ ଗୁରୁତର ଥିବା ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥାନ୍ତି। କିନ୍ତୁ ଉକ୍ତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଆଇସିୟୁ ନଥିବାରୁ ବିଭିନ୍ନ ସମୟରେ ଅନେକ ରୋଗୀଙ୍କ ଜୀବନ ଅକାଳରେ ଚାଲିଯାଇଥାଏ। ପୋଡି ହୋଇ ଆସୁଥିବା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବାରୁ ଏହାକୁ ରୋକିବା ପାଇଁ ଏନ୍‌.ପି.ପିଏମ୍‌.ବି.ଆଇ ଯୋଜନାରେ କେନ୍ଦ୍ରର ୬୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ୪୦ ପ୍ରତିଶତ ଅର୍ଥ ସହଯୋଗରେ ବର୍ଣ୍ଣ ସେଣ୍ଟରର ଭୂମିପୂଜନ ଓ ଫଳକ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପ ପାଇଁ ୨.୫୯କୋଟି ଟଙ୍କାର ଯୋଜନା ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧.୭୭ମୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟରରେ ମଡୁଲାର ଓଟି ନିର୍ମିତ ହେବ। ଏହି ଓଟି ଅଟୋ ସିଷ୍ଟମ୍‌ରେ ଚାଲିବ। ତିନୋଟି ଶଯ୍ୟା ବିଶିଷ୍ଟ ଆଇସିୟୁ, କ୍ୟାବିନ୍‌ ଆଦି ନିର୍ମାଣ କରାଯିବ। ତାସହିତ ରାମ୍ପ ନିର୍ମାଣ କରାଯିବ। ଆମେରିକା, ଜର୍ମାନୀ ଟେକ୍ନୋଲୋଜିରେ ଏହା ନିର୍ମିତ ହେବ। ଏହି ପ୍ରକଳ୍ପ କାମ ୩ମାସ ଭିତରେ ସାରିବା ପାଇଁ ଯୋଜନା ରହିଥିବା ବିଭାଗୀୟ ପ୍ରଫେସର ଡାକ୍ତର ସୂଚନା ଦେଇଛନ୍ତି।