ଜୁନ ୬ରେ ଓଡ଼ିଶା ଛୁଇଁପାରେ ମୌସୁମୀ

0
226
thunder storm
thunder storm

ଭୁୁବନେଶ୍ୱର  :  ମୌସୁମୀ ବାୟୁ କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ପହଞ୍ଚି ସାରିଛି ।  ଆଗାମୀ  ୬ କିମ୍ବା ୭ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି ।

ମୌସୁମୀ ବାୟୁ ପ୍ରଭାବରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ପ୍ରଥମେ ବର୍ଷା ହେବାର ଅନୁମାନ କରାଯାଉଛି । ପରେ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ମୌସୁମୀ ବର୍ଷା ହେବ । ସେହିଭଳି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଜୁନ ୭ କିମ୍ବା ୯ରେ ପଶ୍ଚିମ ଓଡ଼ିଶାର ବାକି ଜିଲ୍ଲାମାନଙ୍କରେ ମୌସୁମୀ ବାୟୁ ପ୍ରବେଶ କରିବ ।

ଏବର୍ଷ ଦେଶରେ ଜୁନରୁ ସେପ୍ଟେମ୍ବର ଭିତରେ ୯୭ ପ୍ରତିଶତ ବର୍ଷା ହେବ, ଯାହା ସ୍ୱାଭାବିକ ବୋଲି ପାଣିପାଗ ବିଭାଗ କହିଛି । କେନ୍ଦ୍ର ଭାରତରେ ୯୯ ପ୍ରତିଶତ ଓ ଉତ୍ତର-ପଶ୍ଚିମ ରାଜ୍ୟଗୁଡ଼ିକରେ ଶତପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ଉତ୍ତର-ପୂର୍ବାଞ୍ଚଳରେ ଟିକିଏ କମ ବର୍ଷା ହୋଇପାରେ । ଏହି ରାଜ୍ୟମାନଙ୍କରେ ୯୩ ପ୍ରତିଶତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ଓଡ଼ିଶାରେ ଭଲ ବର୍ଷା ହେବ । ଜୁନରୁ ସେପ୍ଟେମ୍ବର ଯାଏ ଓଡ଼ିଶାରେ ସାଧାରଣତଃ ୧୧୫୦ରୁ ୧୧୬୦ ମିଲିିମିଟର ବର୍ଷା ହୋଇପାରେ । ଏହି ସମୟ ମଧ୍ୟରେ ଓଡ଼ିଶାରେ ସାଧାରଣତଃ ୧୧୬୪ ମିଲିମିଟର ବର୍ଷା ହୋଇଥାଏ ବୋଲି ସାହୁ କହିଛନ୍ତି । ମୌସୁମୀ ବାୟୁ କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ପହଞ୍ଚି ସାରିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳରେ ପହଞ୍ଚିବ । ଏହାପରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଛୁଇଁବା ସମ୍ଭାବନା ରହୁଛି । ଜୁନ ୬ କିମ୍ବା ୭ ବେଳକୁ ଉପକୂଳ ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ହୋଇପାରେ ବୋଲି ସାହୁ କହିଛନ୍ତି ।