୨୦୨୦ରେ ହେବ ମହାପ୍ରଭୁଙ୍କ ନାଗାର୍ଜୁୁନ ବେଶ

0
393
nagarjuna besha of jagannath
nagarjuna besha of jagannath

ଭୁୁବନେଶ୍ୱର : ଦୀର୍ଘ ୨୫ ବର୍ଷ ପରେ ୨୦୨୦ରେ ହେବ ମହାପ୍ରଭୁଙ୍କ ବହୁପ୍ରତିକ୍ଷୀତ ନାଗାର୍ଜୁୁନ ବେଶ।  ୨୦୨୦ କାର୍ତ୍ତିକ ମାସରେ ପଂଚୁକ ୬ ଦିନ ପଡୁଥିବାରୁ ଅତିରିକ୍ତ ଦିନଟି ନାଗାର୍ଜୁନ ବେଶ ହେବ ।

ଦୀର୍ଘ ୨୫ ବର୍ଷ ପରେ ପଡୁଥିବା  ନାଗାର୍ଜୁନ ବେଶ ପାଇଁ ଗଣନା ଶେଷ ହୋଇଛି । ପବିତ୍ର କାର୍ତ୍ତିକ ଦ୍ୱାଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହେବ । ସାମନ୍ତ ଚନ୍ଦ୍ରଶେଖର ପଂଜିକାର ମୁଖ୍ୟ ଗଣକ ତଥା ଜ୍ୟୋର୍ତିବିଦ  ବୈକୁଣ୍ଠନାଥ ନାୟକ କହିଛନ୍ତି, ୨୦୨୦ କାର୍ତ୍ତିକ ମାସରେ ପଂଚୁକ ୬ ଦିନ ପଡୁଥିବାରୁ ଅତିରିକ୍ତ ଦିନଟି ନାଗାର୍ଜୁନ ବେଶ ହେବ ।

ସୂଚନାଯୋଗ୍ୟ ଶେଷ ଥର ପାଇଁ ମହାପ୍ରଭୁଙ୍କ ଏହି ବୀର ବେଶ ୧୯୯୪ରେ ଅନୁଷ୍ଠିତ ହୋଇଥିଲା । ମହପ୍ରଭୁଙ୍କ ବୀର ତଥା ପାର୍ବତ୍ୟ ବେଶ ବିଶେଷ ଆକର୍ଷଣ କରିଥାଏ । ହଜାର ହଜାର ସୁଧୁସନ୍ଥ, ଶ୍ରଦ୍ଧାଳୁ ଆସି ନାଗାର୍ଜୁନ ବେଶ ଦର୍ଶନ କରି ସୌଭାଗ୍ୟ ଅର୍ଜନ କରିଥାନ୍ତି ।

ଶ୍ରୀମନ୍ଦିର ତଥ୍ୟ ଅନୁସାରେ ୧୯୬୬, ୧୯୮୩, ୧୯୯୩ ଓ ୧୯୯୪ରେ ନାଗାର୍ଜୁନ ବେଶ ହୋଇଥିଲା । ଏହି ବେଶର ସ୍ୱତନ୍ତ୍ର ଆକର୍ଷଣ ହେଲା ଯେ, ମହାପ୍ରଭୁଙ୍କୁ କନାଜରି ଓ ବେତରେ ସଜ୍ଜିତ କରାଯାଇଥାଏ । ମହାପ୍ରଭୁଙ୍କୁ ଯୋଦ୍ଧା ରୂପରେ ସଜ୍ଜିତ କରାଯାଇଥାଏ । ଅଣ୍ଟାରେ ଏକ ନାଗା ତାଟି ଭିଡା ଯାଇଥାଏ । ଧନୁଶରପୂର୍ଣ୍ଣ ତୁଣୀ, କରାଟି, ଛୁରୀ, ବାଘ ନଖ, ଏରାପକ୍ଷୀର ପର, ଢାଳ, ଅଣ୍ଟାରେ ଶୋଲ ତିଆହରି ହାଣ୍ଡିଆ ଆଜି ସଜା ଯାଇଥାଏ । ସେହିପରି ଛୁରୀ-କଟୁରୀ ଶୋଲରେ ତିଆରି ହୁଏ । ବାଘ ଛାଲ, ସିଙ୍ଗଡା, କଲଫି ଲାଗି ମଧ୍ୟ ହୋଇଥାଏ ।

ମହାପ୍ରଭୁ ଉଭୟ ହସ୍ତରେ ୨ଟି ଓଳମାଳ ଧରନ୍ତି । ବାମ ହାତରେ ରୂପା ଶଙ୍ଖ, ଦକ୍ଷିଣରେ ଚକ୍ର, ବଳଭଦ୍ରଙ୍କ ବାମ ହାତରେ ମୂଷଳ, ଦକ୍ଷିଣ ହାତରେ ହଳ ଥାଏ । ସେହିଭଳି ବିଭିନ୍ନ ମାଳିରେ ମହାପ୍ରଭୁଙ୍କୁ ସଜା ଯାଇଥାଏ । ସୁଭଦ୍ରାଙ୍କ ମସ୍ତକରେ ସୁନାର ମୁକୁଟ, ଚନ୍ଦ୍ରିକା, କର୍ଣ୍ଣ ଅଳଙ୍କାର ଲାଗିଥାଏ । ନାଗାର୍ଜୁନ ବେଶକୁ ପର୍ଶୁରାମ ବେଶ ମଧ୍ୟ କୁହନ୍ତି । ହିମାଚଳ ପ୍ରଦେଶର ଭକ୍ତ ସନାତନ ବ୍ରାହ୍ମଣ ଏହି ବେଶର ପ୍ରଚଳନ କରିଥିବା ଇତିହାସରୁ ଜଣାଯାଇଥାଏ । ଉଲ୍ଲେଖଯୋଗ୍ୟ ୧୯୯୪ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଦେଖାଯାଇଥିଲା । ଫଳରେ ୬ ଜଣ ଭକ୍ତ ଦଳାଚକଟାରେ ପ୍ରାଣ ହରାଇଥିଲେ ।