ଭୁବନେଶ୍ୱର : ସରକାର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସରକାରର ୧୦ଟି ସଫଳତା ଉଲ୍ଳେଖ କରିଛନ୍ତି ।ଏହି ୧୦ ସଫଳତା ପଛରେ ରହିଛି ତାଙ୍କ ସରକାରର ଥ୍ରି ଡି ମନ୍ତ୍ର- ‘ ଡିଟରମିନେସନ୍, ଡିଭୋସନ୍ ଓ ଡେଡିକେସନ୍ ।
୨୦୧୪ ମେ’ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ପାଳି ଶାସନ ଆରମ୍ଭ କରିଥିଲେ। ଆଜି ନବୀନ ସରକାର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂରିଛି । ସରକାରଙ୍କ ଚତୁର୍ଥ ପାଳିର ୪ବର୍ଷ ଅବସରରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ମନ୍ତ୍ରୀ ପରିଷଦ ବୈଠକ। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରର ୧୦ଟି ସଫଳତା ଉଲ୍ଳେଖ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ ଏହି ୧୦ ସଫଳତା ପଛରେ ରହିଛି ତାଙ୍କ ସରକାରର ଥ୍ରି ଡି ମନ୍ତ୍ର- ‘ ଡିଟରମିନେସନ୍, ଡିଭୋସନ୍ ଓ ଡେଡିକେସନ୍ ଅର୍ଥାତ୍ ନିଶ୍ଚୟତା, ନିଷ୍ଠା ଓ ଆନ୍ତରିକତା। ପ୍ରଥମତଃ ଓଡିଆ ଭାଷାକୁ ସରକାରୀ ଭାଷା ଭାବେ ବାଧ୍ୟତାମୂଳକ କରିବାର ନିଷ୍ପତ୍ତି। ଏଥିଲାଗି ତାଙ୍କ ସରକାର ପ୍ରତିଶ୍ରୁତି ବଦ୍ଧ । ଏଥସହ ସେ କହିଥଲେ ଯେ ୨୪ ଲକ୍ଷ କଚା ଘରକୁ ପକ୍କା କରାଯାଇଛି । ୪ ବର୍ଷରେ ୧୭ ଲକ୍ଷ ପକ୍କା ଘର ନିର୍ମାଣ କରାଯାଇଛି । ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ ଭଳି ଐତିହାସିକ ପଦକ୍ଷେପ ନିଆଯାଇଛି । ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶା ଆଗରେ ରହିଛି । ୯ ଲକ୍ଷ ଯୁବକଯୁବତୀଙ୍କୁ ସାବଲମ୍ବୀ କରାଯାଇଛି । ଆଉ ୧୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା ହୋଇଛି । ସେହିପରି କ୍ରୀଡା କ୍ଷେତ୍ରରେ ଦେଶରେ ଓଡିଶା ପ୍ରତିଧ୍ୱନିତ କରୁଛି ।
ଅନ୍ୟ ପକ୍ଷରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ୪ବର୍ଷ ପୂରଣ ନେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।