ହରିଶ୍ଚନ୍ଦ୍ର ସହାୟତା ପାଇଁ ନୂଆ ପୋର୍ଟାଲ ଉନ୍ମୋଚିତ

0
235
cm naveen patnaik
cm naveen patnaik

ଭୁୁବନେଶ୍ୱର : ଏଣିକି ହରିଶ୍ଚନ୍ଦ୍ର ସହାୟତା ଟଙ୍କା ଅନଲାଇନ ମାଧ୍ୟମରେ ବଣ୍ଟାଯିବ । ଏଥିପାଇଁ ହରିଶ୍ଚନ୍ଦ୍ର ସହାୟତାର ନୂଆ ଖର୍ଚ୍ଚ ଭରଣା ପୋର୍ଟାଲ ଉନ୍ମୋଚିତ ହୋଇଯାଇଛି । ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ହରିଶ୍ଚନ୍ଦ୍ର ସହାୟତା ଯୋଜନାର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି ।

ହରିଶ୍ଚନ୍ଦ୍ର ଯୋଜନାରେ ସରକାରଙ୍କ ଠାରୁ ଦିଆଯାଉଥିବା ଟଙ୍କା ସଠିକ ଭାବରେ ପରିଚାଳନା ହେଉ ନାହିଁ । ଉପଯୁକ୍ତ ଲୋକଙ୍କ ପାଖରେ ଏହି ସହାୟତାର ରାଶି ପହଞ୍ଚି ପାରୁ ନାହିଁ ବୋଲି ଅନେକ ସମୟରେ ଅଭିଯୋଗ ହେଉଛି । ତୃଣମୂଳ ସ୍ତରରେ ମାତ୍ରାଧିକ ଦୁର୍ନୀତି ଯୋଗୁଁ ସାଧାରଣ ଗରିବ ଲୋକ ଏହି ଟଙ୍କା ପାଇବାକୁ ବହୁ ସଂଘର୍ଷ କରୁଛି । ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ନୀତି ଅବଲମ୍ବନ କରିଛନ୍ତି । ନବୀନ ପରାମର୍ଶ ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇବାକୁ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବାରୁ ବଞ୍ଚିତ ନହୁଅନ୍ତୁ ।  ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ମାଧ୍ୟମରେ ପ୍ରତି ବର୍ଷ ୧୦ କୋଟି ଟଙ୍କା ନିଃସହାୟ ଲୋକଙ୍କୁ ସହାୟତା ଯୋଗାଇଥାନ୍ତି । ସେହିପରି ଜିଲ୍ଲାପାଳମାନଙ୍କ ମାଧ୍ୟମରେ ସେ ୪ କୋଟି ଟଙ୍କା ଯୋଗାଇ ଦେଇଥାନ୍ତି । ହରିଶ୍ଚନ୍ଦ୍ର ଯୋଜନାରେ ଗତ ବର୍ଷ ୮୦ ହଜାର ଲୋକଙ୍କୁ ୧୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ବେଳେ ୨୦୧୭-୧୮ରେ ୮୮ ହଜାର ଲୋକଙ୍କୁ ୧୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯାଇଛି ବୋଲି ସମୀକ୍ଷା ବୈଠକରେ ଆଲୋଚନା ହୋଇଛି ।

ସମୀକ୍ଷାରୁ ଜଣାପଡ଼ିଛି ଯେ, ମହାପ୍ରୟାଣ ଗାଡ଼ି ସେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୯ଟି ଗାଡ଼ି ୨୯ଟି ଜିଲ୍ଲାକୁ ଓ ୩ଟି ମେଡିକାଲକୁ ୬ଟି ଗାଡ଼ି ଯୋଗଇ ଦିଆଯାଇଛି । ମାତ୍ର ଦୁଃଖର ବିଷୟ ଯେ, ରାଜ୍ୟର ବିଭିନ୍ନ ହସ୍ପିଟାଲରେ ମହାପ୍ରୟାଣ ଗାଡ଼ିର ଅଭାବ ଯୋଗୁଁ ଅନେକ ଲୋକଙ୍କୁ ଗତ ବର୍ଷ ମୃତ ବ୍ୟକ୍ତିଙ୍କୁ ଟ୍ରଲି ଓ ଠେଲାଗାଡ଼ିରେ ମୃତଦେହ ଘରକୁ ନେବାକୁ ପଡ଼ିଛି ।