ଭୁବନେଶ୍ୱର : ନୂଆଁଖାଇ ପର୍ବ ଲାଗି ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠ ମଧ୍ୟ ଚଳଚଞ୍ଚଳ। ନିର୍ଦ୍ଧାରିତ ସମୟ ଅନୁସାରେ ମାଆ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହୋଇଛି।
ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଆଜି ଘରେ ଘରେ ପିଠାପଣାର ମହକ। କୃଷକ-ଗୃହସ୍ଥ ମଧ୍ୟ ପୂଜା କରିବା ପାଇଁ ସକାଳୁ ସକାଳୁ ନୂଆ ଲୁଗା ପିନ୍ଧି ନିଜ କ୍ଷେତକୁ ବାହାରି ସାରିଲେଣି। ଏହି ପର୍ବ ଲାଗି ପୂର୍ବାହ୍ଣ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ମାଆ ସମଲେଶ୍ୱରୀ ନବାନ୍ନ ଲାଗି ହେବା ନେଇ ଲଗ୍ନ ଧାର୍ଯ୍ୟ ହୋଇଥିଲା।
ନୂଆଁଖାଇ ହେଉଛି କୃଷିଭିତ୍ତିକ ଏକ ମହାନ ସାମାଜିକ ଓ ସାଂସ୍କୃତିକ ଗଣପର୍ବ । ପ୍ରତିବର୍ଷ ଭାଦ୍ରବ ମାସ ଶୁଳ୍ପ ପକ୍ଷ ପଞ୍ଚମୀ ବା ଋଷିପଞ୍ଚମୀରେ ପାଳିତ ହୁଏ। ନୂଆଁଖାଇରେ ପ୍ରଥମେ ପରମ ଆରାଧ୍ୟା ମାଁ ସମଲେଶ୍ୱରୀ, ମାଁ ପାଟଣେଶ୍ୱରୀ, ମାଁ ମାଣିକେଶ୍ୱରୀ, ମାଁ ସୁରେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯାଏ। ଚାଷଜମିରେ ନୂଆ ଶସ୍ୟକୁ ଦେଖି ଉଲ୍ଲସିତ ହେବା ଏବଂ ନୂଆ ଶସ୍ୟକୁ ପୂଜାର୍ଚ୍ଚନା କରି ଭଗବାନଙ୍କୁ ଅର୍ପଣ କରି ନିଜର କୃତଜ୍ଞତା ଜଣାଇଲା ପରେ ଆନନ୍ଦ ଓ ଉଲ୍ଲାସ ମନାଇବାର ଅନନ୍ୟ ପର୍ବ ହେଉଛି ନୂଆଁଖାଇ ।
ନିଜ ଚାଷ ଜମିରେ କ୍ଷୀର ଢାଳି ପୂଜା କଲା ପରେ, ନୂଆ ଶସ୍ୟକୁ ନିଜ ଘରେ ପୂଜା କରି, ପରିବାରର ସମସ୍ତଙ୍କ ସହ ମିଶି ଖାଇବା ଓ ତା ପରେ ନିଜ ପରିବାର ଓ ସମାଜର ବୟୋଜ୍ୟେଷ୍ଠ ମାନଙ୍କୁ ମୁଣ୍ଡିଆ ମାରି ଜୁହାର କରିବା ନୂଆଁଖାଇର ବିଶିଷ୍ଟ ପରମ୍ପରା।